
ଝାରସୁଗୁଡ଼ା, ୨୪ ମାର୍ଚ୍ଚ (ହି.ସ.)- ଝାରସୁଗୁଡା ଯାନ୍ତ୍ରିକ ବିଦ୍ଯାଳୟ ପରିସରରେ ଇଣ୍ଡିଆନ ସୋସାଇଟି ଫର ଟେକ୍ନିକାଲ ଷ୍ଟୁଡେଣ୍ଟ ଚାପଟର ତରଫରୁ ରାଜ୍ଯ ସ୍ତରୀୟ ଟେକଫେଷ୍ଟ ଟେକ୍ନୋମାନିଆ ୩.୦ ଉଦ୍ଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଅଛି। ଏହି ସମାରୋହରେ ଝାରସୁଗୁଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ କୁଣାଲ ମୋତିରାମ ଚହ୍ବାଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ଅନୁଷ୍ଠାନର ଅଧ୍ୟକ୍ଷା ରିନତା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷକ ଆଶିଷ ଲେଙ୍କା ଏବଂ ଅଦାନୀ ତଲାବିରା ମାଇନ୍ସର ମାନବ ସମ୍ବଳ ମୁଖ୍ୟ ପ୍ରଭାକର ସିଂ ଯୋଗଦେଇଥିଲେ।
ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ଚହ୍ବାଣ କହିଥିଲେ ଯେ, ଆଧୁନିକ ଯୁଗରେ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ୱ ଅପରିସୀମ। ଆଗାମୀ ଦିନରେ ରୋବୋଟିକସ୍ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ ନେଇ ଏଭଳି ପ୍ରତିଯୋଗିତା ଆୟୋଜନ କଲେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ପ୍ରତିଯୋଗିତାମୂଳକ ବାତାବରଣ ସୃଷ୍ଟି ହେବ। ଇଞ୍ଜିନିୟରମାନେ ନିଜ ଦକ୍ଷତା ଦ୍ୱାରା ସମାଜର ଦୈନନ୍ଦିନ ସମସ୍ୟାର ସହଜ ସମାଧାନ କରିବା ଉଚିତ।ଟେକ୍ନୋଲୋଜି ମାଧ୍ୟମରେ କିଭଳି ନିଜର ଭବିଷ୍ୟତ ଉଜ୍ଜ୍ୱଳମୟ କରିହେବ, ସେନେଇ ସେ ଛାତ୍ରଛାତ୍ରୀଙ୍କୁ ସେ ଅବଗତ କରାଇଥିଲେ।
ଏହି ଦୁଇ ଦିନିଆ ମହୋତ୍ସବରେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ପଲିଟେକନିକ୍ ଅନୁଷ୍ଠାନର ଶତାଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ସିଭିଲ୍ ବିଭାଗର ମୁଖ୍ୟ ତଥା ଇଭେଣ୍ଟ କୋର୍ଡିନେଟର ଅମିତ କୁମାର ସାହୁ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହେଉଥିବା ୫ଟି ମୁଖ୍ୟ ପ୍ରତିଯୋଗିତା ସମ୍ପର୍କରେ ଅତିଥିମାନଙ୍କୁ ଅବଗତ କରାଇଥିଲେ। ବିଶେଷ କରି ସିଭିଲ୍, ମେକାନିକାଲ୍, ଇଲେକ୍ଟ୍ରିକାଲ୍ ଏବଂ ଆଇଓଟି ଭଳି ବିଭାଗରେ ପ୍ରକଳ୍ପ ପ୍ରଦର୍ଶନୀ ଆୟୋଜିତ ହେଉଛି।
ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ବୃଦ୍ଧି କରିବା ସହ ନୂତନ ଉଦ୍ଭାବନ ଦିଗରେ ସେମାନଙ୍କୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଅଟେ। ଏହି ସମାରୋହରେ ଆଇଟି ବିଭାଗ ମୁଖ୍ୟ ଡକ୍ଟର ଅନିତା ବ୍ରହ୍ମା ଏବଂ ଇଲେକ୍ଟ୍ରିକାଲ୍ ବିଭାଗ ମୁଖ୍ୟ ଅଷ୍ଟମିତା ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଏବଂ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ପ୍ରମୁଖ ସହଯୋଗ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ