କୁଆପଥର ମାଡରେ ନଷ୍ଟ ହେଲା ତରଭୁଜ ଚାଷ
ନୂଆପଡ଼ା, ୨୪ ମାର୍ଚ୍ଚ (ହି.ସ.)- ଚାଷୀଙ୍କ ଉପରେ କାଳ ସାଜିଲା ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ଼ । ଯାହା ଫଳରେ ଉଜୁଡି ଯାଇଛି ପଚାଶରୁ ଅଧିକ ଏକର ତରଭୁଜ ଚାଷ। ଏନେଇ ଚିନ୍ତାରେ ଏବେ ତରଭୁଜ ଚାଷୀ। ଏଭଳି ଘଟଣା ସାମ୍ନାକୁ ଆସିଛି ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ବଡ଼ମୁଳା ଗାଁରେ। ଖଡିଆଳ ବ୍ଲକର ସୀ
Tarbhuj chasha nasta


ନୂଆପଡ଼ା, ୨୪ ମାର୍ଚ୍ଚ (ହି.ସ.)- ଚାଷୀଙ୍କ ଉପରେ କାଳ ସାଜିଲା ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ଼ । ଯାହା ଫଳରେ ଉଜୁଡି ଯାଇଛି ପଚାଶରୁ ଅଧିକ ଏକର ତରଭୁଜ ଚାଷ। ଏନେଇ ଚିନ୍ତାରେ ଏବେ ତରଭୁଜ ଚାଷୀ। ଏଭଳି ଘଟଣା ସାମ୍ନାକୁ ଆସିଛି ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ବଡ଼ମୁଳା ଗାଁରେ। ଖଡିଆଳ ବ୍ଲକର ସୀମାନ୍ତ ଏକ ଗାଁ ବଡ଼ମୁଳା । ଏହି ଗାଁ ଏକ କୃଷି ପ୍ରଧାନ ଗାଁ ହୋଇଥିବା ବେଳେ ତରଭୁଜ ଚାଷ ପାଇଁ ବେଶ ଜଣାଶୁଣା । ପ୍ରତ୍ୟେକ ବର୍ଷ ଏହି ଗାଁର ପ୍ରାୟ ଚାଳିଶ-ପଚାଶ ଜଣ ଚାଷୀ ପଚାଶରୁ ଉର୍ଦ୍ଧ୍ବ ଏକର ଜାଗାରେ ତରଭୁଜ ଚାଷ କରି ଭଲ ରୋଜଗାର କରିଥାନ୍ତି। ଚଳିତ ବର୍ଷ ମଧ୍ୟ ବିଭିନ୍ନ ବେସରକାରୀ ସଂସ୍ଥା ସହ ସାହୁକାରଙ୍କ ଠାରୁ ଧାରକରଜ କରି ତରଭୁଜ ଚାଷ କରିଥିଲେ । ହଜାର ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଭଲ ଫଳ ମଧ୍ୟ ଆସିଥିଲା । ଆଉ ଗୋଟିଏରୁ ଦୁଇ ସପ୍ତାହ ମଧ୍ୟରେ ସବୁ ବିକ୍ରି ମଧ୍ୟ ହୋଇଥାନ୍ତା । ହେଲେ ଵିଧିର ବିଧାନ ଥିଲା ଅଲଗା । ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ ସମସ୍ତ ଚାଷକୁ ନଷ୍ଟ କରି ଚାଷୀଙ୍କ ମେରୁଦଣ୍ଡକୁ ଭାଙ୍ଗିଦେଇଚ୍ଛି । ବର୍ତମାନ ଚାଷୀ ଦେବେନ୍ଦ୍ର ସଗରିଆ, ଲଇବାନ ଶଗରିଆଙ୍କ ସହ ଅନ୍ୟାନ୍ୟ ଚାଷୀ ସରକାରୀ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି । ଏହି ଚାଷୀ ମାନେ ତରଭୁଜ ବିକ୍ରି ପାଇଁ ଗ୍ରାହକ ମାନଙ୍କ ଠାରୁ ଅଗ୍ରିମ ଟଙ୍କା ମଧ୍ୟ ଗ୍ରହଣ କରି ସାରିଥିଲେ । ଆଶା ଥିଲା ଚାଷ ଭଲ ହୋଇଛି ନିଶ୍ଚୟ ଭଲ ଦୁଇ ପଇସା ରୋଜଗାର ହୋଇପାରିବ l ହେଲେ ତିନିଦିନ ତଳରେ ହୋଇଥିବା କୁଆପଥର ମାଡ଼ ସବୁକୁ ଓଲଟ ପାଲଟ କରିଦେଇଛି । ଖଡ଼ିଆଳ ଉଦ୍ୟାନ ବିଭାଗର ତତ୍ତ୍ୱାବଧାନରେ କେବଳ ତରଭୁଜ ନୁହେଁ ଆମ୍ବ ଗଛ ଲଗାଇ ଆମ୍ବରୁ ମଧ୍ୟ ଦୁଇ ପଇସା ଲାଭ ନେଇ ଆଶା ବାନ୍ଧିଥିଲେ । ହେଲେ ଆମ୍ବ ଗଛରୁ ମଧ୍ୟ ବଉଳ ସହ ଛୋଟ ଛୋଟ ଆମ୍ବ ଫଳ ତଳେ ପଡି ନଷ୍ଟ ହୋଇଯାଇଥିବା ଚାଷୀ ମାନେ ଅତି ଦୁଃଖର ସହ ପ୍ରକାଶ କରିଛନ୍ତି । କୁଆପଥର ଆମକୁ ସର୍ବାହରା କରିଦେଇଛି ସରକାରୀ ସହାୟତା ନମିଳିଲେ ଆମେ କେମିତି ବଞ୍ଚିବୁ ବୋଲି ଚାଷୀ ମାନେ କହିଛନ୍ତି।

ଅପରପକ୍ଷରେ ଖବର ପାଇ ଖଡ଼ିଆଳ ଉଦ୍ୟାନ ବିଭାଗ ସହକାରୀ ଅଧିକାରୀ ମୋହିତ ନାଏକ ବଡ଼ମୁଳା ପହଞ୍ଚି ସରଜମୀନ ତଦନ୍ତ କରି ଚାଷୀଙ୍କ ବିପୁଳ କ୍ଷତି ହୋଇଥିବା ସ୍ୱୀକାର କରିଛନ୍ତି ଓ ବିଭାଗ ତରଫରୁ କ୍ଷୟକ୍ଷତି ଆକଳନ କରୁଛୁ ଏବଂ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଚାଷୀଙ୍କୁ ସହାୟତ ପ୍ରଦାନରେ ସହଯୋଗ କରିବୁ ବୋଲି କହିଛନ୍ତି l

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande