
ଭୁବନେଶ୍ୱର, ୨୪ ମାର୍ଚ୍ଚ (ହି.ସ) - ଭୁବନେଶ୍ୱର ଲକ୍ଷ୍ମୀସାଗର ସ୍ଥିତ ମହିଳା ଓ ଶିଶୁ ପ୍ରତିଷ୍ଠାନ ସମ୍ମିଳିନୀ କକ୍ଷରେ ମଙ୍ଗଳବାର ପୂର୍ବାହ୍ନରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଆନୁକୁଲ୍ୟରେ ସାଇବର ଅପରାଧରୁ ମହିଳା ମାନଙ୍କ ସୁରକ୍ଷା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।
ଓଡ଼ିଶା ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ମଶାଳାକୁ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଏହି କର୍ମଶାଳାରେ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶିକା ଶ୍ରୀମତୀ ସ୍ୱୟଂପ୍ରଭା ମହାନ୍ତି, ଆଇଏଏସ, ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମହିଳା ଆୟୋଗର ସଦସ୍ୟା ଶ୍ରୀମତୀ ଊର୍ମିଳା ମହାପାତ୍ର, ଶ୍ରୀମତୀ ପ୍ରତିଭା ଶତପଥି ଏବଂ ଡକ୍ଟର କଳ୍ପନା ମଲ୍ଲିକ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର-କଟକ ପୁଲିସ କମିଶନରରେଟ୍ କାର୍ଯ୍ୟାଳୟରେ ସହାୟକ ପୁଲିସ କମିଶନର ଭାବେ କାର୍ଯ୍ୟରତ ଶ୍ରୀ ଅକ୍ଷୟ କୁମାର ନାୟକ ମୁଖ୍ୟ ସମ୍ବଳ ବ୍ୟକ୍ତି ଭାବେ ଯୋଗଦାନ କରିଥିଲେ ।
କର୍ମଶାଳାର ବୈଷୟିକ ଅଧିବେଶନରେ ସମ୍ବଳ ବ୍ୟକ୍ତି ଭାବେ ଅକ୍ଷୟ କୁମାର ନାୟକ, ସହାୟକ ପୁଲିସ କମିଶନର, ଭୁବନେଶ୍ୱର ସାଇବର ଅପରାଧ ସମ୍ପର୍କରେ ସବିଶେଷ ଉପସ୍ଥାପନା ସହ ସାଇବର ଅପରାଧରୁ ମହିଳା ମାନଙ୍କ ସୁରକ୍ଷା ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ । ଉକ୍ତ କର୍ମଶାଳାରେ ଏହି କ୍ଷେତ୍ରରେ କାର୍ଯ୍ୟରତ ବିଭିନ୍ନ ଅଂଶୀଦାର ବ୍ୟକ୍ତି ବିଶେଷ ଏବଂ ଅନୁଷ୍ଠାନର କର୍ମକର୍ତାମାନେ ଯଥା, ପୁଲିସ, ଆଇନଜୀବି, ସରକାରୀ ନୀତି ପ୍ରସ୍ତୁତକାରୀ, ନାଗରିକ ସମାଜ ପ୍ରତିନିଧି ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି, ସମାଜସେବୀ, ଆଇନ ଛାତ୍ରଛାତ୍ରୀ, ଓଡ଼ିଶା ରାଜ୍ୟ ମହିଳା ଆୟୋଗର ଅଧିକାରୀ ଓ କର୍ମକର୍ତାଗଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିଲେ ।
----------------
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା