
ନାଲକୋ କର୍ମଚାରୀଙ୍କ ପାଇଁ
‘ଉତ୍ପାଦନ ପ୍ରୋତ୍ସାହନ ରାଶି’ ଘୋଷଣା କରିବାକୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନ
ଢେଙ୍କାନାଳ ଓ ମୟୂରଭଞ୍ଜ
ସାଂସଦ,
ଅନୁଗୋଳ ବିଧାୟକ ଏବଂ ବିଏମଏସି ସମନ୍ୱୟ କମିଟିର ସଦସ୍ୟମାନେ ମଧ୍ୟ
ଭେଟି କଲେ ଅନୁରୋଧ
ଆର୍ଥିକ ବର୍ଷ ୨୦୨୪-୨୫ରେ
ନାଲକୋ ୭,୧୩୫ କୋଟି ଟଙ୍କାର ରେକର୍ଡ ଲାଭ ହାସଲ କରିଛି
ଏହି ସଫଳତା ପଛରେ କମ୍ପାନୀର
ପ୍ରତ୍ୟେକ ଶ୍ରମିକ ଓ କର୍ମଚାରୀଙ୍କ ନିରନ୍ତର ପ୍ରୟାସ ଏବଂ ନିଷ୍ଠା ରହିଛି
ଏହି ପଦକ୍ଷେପ ନାଲକୋ ଶ୍ରମିକ
ଓ କର୍ମଚାରୀଙ୍କ ମନୋବଳ ବଢ଼ାଇବ
ନୂଆଦିଲ୍ଲୀ, ୨୪ ମାର୍ଚ୍ଚ (ହି.ସ) - ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍
(ନାଲକୋ)ର ଶ୍ରମିକ ଓ କର୍ମଚାରୀଙ୍କ ମନୋବଳ ବଢ଼ାଇବା ତଥା ସେମାନଙ୍କର କଠିନ ପରିଶ୍ରମକୁ ସମ୍ମାନ
ଜଣାଇ ଚଳିତ ଆର୍ଥିକ ବର୍ଷ ପାଇଁ 'ପ୍ରଡକ୍ସନ ଗିଫ୍ଟ' ବା
ଉତ୍ପାଦନ ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର
ପ୍ରଧାନ ଆଜି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଭେଟି ଅନୁରୋଧ
କରିଛନ୍ତି ।
ଆର୍ଥିକ ବର୍ଷ ୨୦୨୪-୨୫ ରେ
ନାଲକୋ ୭,୧୩୫ କୋଟି ଟଙ୍କାର ରେକର୍ଡ ଲାଭ (ପିବିଟି) ହାସଲ କରିଛି, ଯାହା କମ୍ପାନୀର ଦକ୍ଷତାକୁ ପ୍ରମାଣିତ କରୁଛି । ଏହି ସଫଳତା ପଛରେ
କମ୍ପାନୀର ପ୍ରତ୍ୟେକ ଶ୍ରମିକ ଓ କର୍ମଚାରୀଙ୍କ ନିରନ୍ତର ପ୍ରୟାସ ଏବଂ ନିଷ୍ଠା ରହିଛି ବୋଲି
ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି । ନାଲକୋର ଭାରତୀୟ ମଜଦୁର୍ ସଂଘ(ବିଏମସି) ସମନ୍ୱୟ
କମିଟିର ପ୍ରସ୍ତାବ ଆଧାରରେ ସମୁଦାୟ ଲାଭର କିଛି ଅଂଶକୁ 'ପ୍ରଡକ୍ସନ ଗିଫ୍ଟ' ଭାବେ କର୍ମଚାରୀଙ୍କୁ ପ୍ରଦାନ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି ।
ପୂର୍ବରୁ ଆର୍ଥିକ ବର୍ଷ
୨୦୨୧-୨୨ରେ ମଧ୍ୟ ସମାନ ଭାବେ କର୍ମଚାରୀଙ୍କୁ ଏହି ସୁବିଧା ପ୍ରଦାନ କରାଯାଇଥିଲା, ଯାହା ଶ୍ରମିକମାନଙ୍କ ମଧ୍ୟରେ ଉତ୍ସାହ ଓ ଉନ୍ମାଦନା ସୃଷ୍ଟି କରିଥିଲା
। ଏହି ପଦକ୍ଷେପ ଦ୍ୱାରା କର୍ମଚାରୀମାନେ କାମ କରିବା ପାଇଁ ଅଧିକ ପ୍ରୋତ୍ସାହିତ ହେବେ ।
ସେମାନଙ୍କର ମନୋବଳ ବୃଦ୍ଧି ହେବ । ଫଳସ୍ୱରୂପ ଆଗାମୀ ଦିନରେ କମ୍ପାନୀର ଉତ୍ପାଦନ କ୍ଷମତା ଓ ଲାଭ
ବୃଦ୍ଧି କରିବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ ଆଶା ପ୍ରକଟ କରିଛନ୍ତି । ଅନୁଷ୍ଠାନିକ
ଉତ୍କର୍ଷତା ଏବଂ ଶ୍ରମିକ କଲ୍ୟାଣକୁ ଦୃଷ୍ଟିରେ ରଖି ଏହି ପ୍ରସ୍ତାବ ଉପରେ ସହୃଦୟତାର ସହ ବିଚାର
କରିବାକୁ ଶ୍ରୀ ପ୍ରଧାନ କେନ୍ଦ୍ର ଖଣି ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
ଏହି ସାକ୍ଷାତ୍ ସମୟରେ
ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି, ମୟୂରଭଞ୍ଜ ସାଂସଦ ଶ୍ରୀ ନବ ଚରଣ ମାଝି, ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ବିଏମଏସି
ସମନ୍ୱୟ କମିଟିର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା