ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ୨୬ରୁ ୬ ଦିନିଆ ଲିଙ୍ଗରାଜ ମହୋତ୍ସବ
ଭୁବନେଶ୍ୱର, ୨୪ ମାର୍ଚ୍ଚ (ହି.ସ) - ପ୍ରତିବର୍ଷ ପରି ଚଳିତବର୍ଷ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ସଂସ୍ଥା ପକ୍ଷରୁ ପଂଚଦଶ ଲିଙ୍ଗରାଜ ମହୋତ୍ସବ ଆସନ୍ତା ୨୬ ତାରିଖ ଗୁରୁବାର ଠାରୁ ଆରମ୍ଭ ହୋଇ ୩୧ ତାରିଖ ମଙ୍ଗଳବାର ପର୍ଯ୍ୟନ୍ତ ୬ ଦିନ ବ୍ୟାପି
tuyi


ଭୁବନେଶ୍ୱର, ୨୪ ମାର୍ଚ୍ଚ (ହି.ସ) - ପ୍ରତିବର୍ଷ ପରି ଚଳିତବର୍ଷ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ସଂସ୍ଥା ପକ୍ଷରୁ ପଂଚଦଶ ଲିଙ୍ଗରାଜ ମହୋତ୍ସବ ଆସନ୍ତା ୨୬ ତାରିଖ ଗୁରୁବାର ଠାରୁ ଆରମ୍ଭ ହୋଇ ୩୧ ତାରିଖ ମଙ୍ଗଳବାର ପର୍ଯ୍ୟନ୍ତ ୬ ଦିନ ବ୍ୟାପି ଚାଲିବ। ଏଥିରେ ୭୦୦ରୁ ଉର୍ଦ୍ଧ୍ୱ କଳାକାର ଯୋଗଦେବେ। ଓଡ଼ିଶାର କଳା ଓ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ଏବଂ ରୁକୁଣା ରଥଯାତ୍ରା ଉପଲକ୍ଷେ ଏହି ଲିଙ୍ଗରାଜ ମହୋତ୍ସବର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ବୋଲି ଅନୁଷ୍ଠାନର ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ସାଧାରଣ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସନତ ମିଶ୍ର ସୂଚନା ଦେଇଛନ୍ତି।

ମଙ୍ଗଳବାରଦିନ ଲିଙ୍ଗରାଜ ମାର୍କେଟ କମ୍ପେ୍ଲକ୍ସସ୍ଥିତ ଭଜନ ମଣ୍ଡପ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାଉତରାୟ ଓ ଶ୍ରୀ ମିଶ୍ର କହିଛନ୍ତି ଚଳିତବର୍ଷ ଅଧିକ ପଡ଼ୋଶୀ ତଥା ଓଡ଼ିଶାର କଳାକାରମାନେ ନୃତ୍ୟ ପରିବେଷଣ କରିବେ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୁରୁ ଗଜେନ୍ଦ୍ର ପଣ୍ଡା ଓ ଗୁରୁ ପ୍ରତିଭା ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଓଡ଼ିଶା କଳା ବିକାଶ କେନ୍ଦ୍ରର କଳାକାରମାନଙ୍କ ସହିତ ବୀଣାପାଣି କଳାନିକେତନ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ସତ୍ୟବାଦୀ ମହାବିଦ୍ୟାଳୟ, ଓଡ଼ିଶା ଡ୍ୟାନ୍ସ ଏକାଡ଼େମୀ, ତ୍ରିଧାରା, କୋଶଳ ଫୋକସ ଡ୍ୟାନ୍ସ ଏକାଡ଼େମୀ, କଳାନିକେତନ, ପୂର୍ବାଂଚଳ ସାଂସ୍କୃତିକ କଳାକେନ୍ଦ୍ର (ଇଜେଡ଼ ସିସି) କୋଲକତାର ଭାରତ ନାଟ୍ୟମ, ପୁରୁଲିଆ ଛଉ, ଶ୍ରଦ୍ଧା କ୍ରିଏଟିଭ, ଜଟାଧାରୀ ବେହେରାଙ୍କ ପ୍ରସିଦ୍ଧ ଘୋଡ଼ାନାଚ, ଶିଳ୍ପୀକା, ଆଦିବାସୀ ନୃତ୍ୟ, ପାଇକ ଆଖଡ଼ା, ବ୍ଲୁ ଆଣ୍ଡ ବ୍ରାଇଟ୍ ଏକାଡ଼େମୀ, ପଦ୍ମଶ୍ରୀ ଦୁର୍ଗାଚରଣ ରଣବୀର, ଗୁରୁ ନିରଞ୍ଜନ ରାଉତ, ଦିବ୍ୟଶ୍ରୀ ଗାଙ୍ଗୁଲି, ସିଂଗମ, ନୃତ୍ୟାର୍ଚ୍ଚନା, ସ୍ୱପ୍ନାରାଣି ସିହ୍ନା, ଫୁଲବାଣୀର ଧେମ୍ସା, ସ୍ମୃତି କଳାକେନ୍ଦ୍ର, ଅଞ୍ଚଳ ପାଣ୍ଡେ ଆଦି ୩୪ଟି ଟ୍ରୁପ୍ର ସୁନାମଧନ୍ୟ କଳାକାରମାନେ ବିଭିନ୍ନ ପ୍ରକାର ନୃତ୍ୟ ପରିବେଷଣ କରିବେ। ଏହି ସମସ୍ତ ୬ ଦିନିଆ ନୃତ୍ୟ କାର୍ଯ୍ୟକ୍ରମକୁ ବାସୁଦେବ ନାଥ ମଞ୍ଚ ପରିଚାଳନା କରିବେ ବୋଲି ସେମାନେ କହିଛନ୍ତି। ଗୁରୁ ଗଜେନ୍ଦ୍ର ପଣ୍ଡା, ଗୁରୁ ପ୍ରତିଭା ପଣ୍ଡା ଏବଂ ବରିଷ୍ଠ ଆଇନଜୀବୀ ତଥା ଅନୁଷ୍ଠାନର ଉପସଭାପତି ଶିବାନନ୍ଦ ରାୟ ଏହି ୬ ଦିନିଆ ମହୋତ୍ସବ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ।

୨୬ ତାରିଖ ଦିନ ଲିଙ୍ଗରାଜ ମହୋତ୍ସବର ଉଦ୍ଘାଟନ ଉତ୍ସବରେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ, ପୂର୍ତ ଓ ଆଇନ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଏକାମ୍ର ବିଧାୟକ ବାବୁ ସିଂ, ଅନୁଷ୍ଠାନର ଉପସଭାପତି ତଥା ବିଜେପି ରାଜ୍ୟ ପୂର୍ବତନ ସଭାପତି ସମୀର ମହାନ୍ତି, ବରିଷ୍ଠ ନେତ୍ରୀ ରଶ୍ମୀ ମହାପାତ୍ର, କର୍ପୋରେଟର ବିରଂଚି ମହାସୁପକାର ପ୍ରମୁଖ ଯୋଗଦେବେ। ୩୦ ତାରିଖରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରମୁଖ ଯୋଗଦେବେ ଏବଂ ୩୧ ତାରିଖ ଉଦ୍ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଯୋଗଦେବେ। ଅନ୍ୟ ଦିବସ ମାନଙ୍କରେ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗର ବରିଷ୍ଠ ମନ୍ତ୍ରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଅନୁଷ୍ଠାନର ଉପସଭାପତି ତଥା ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ ପ୍ରକାଶ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande