
ପୁରୀ, ୨୪ ମାର୍ଚ୍ଚ (ହି.ସ.)- ଗତ ମାର୍ଚ୍ଚ ୨୦ ତାରିଖ ଦିନ ଦ୍ବିପ୍ରହରରେ ବ୍ରହ୍ମଗିରି ବଜାରରେ ବିଚ୍ ରାସ୍ତା ଉପରେ ଜଣେ ନାବାଳକଙ୍କ ଦୁଇ ହାତ ପଛକୁ ବାନ୍ଧି, ବେକରେ ମୁଁ ଚୋର ଏବଂ ଶିଶୁର ନାମ ଏବଂ ଠିକଣା ଲେଖି ତାଙ୍କୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇ ଜୋର ଜବରଦସ୍ତ ଚଲାଇ ଚଲାଇ ନେବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହା କୌଣସି ସଭ୍ୟ ସମାଜରେ ଆଦୌ ଗ୍ରହଣୀୟ ନୁହେଁ। ଏହି ବର୍ବରୋଚିତ କାର୍ଯ୍ୟ ପାଇଁ ସବୁଠାରେ ପ୍ରତିବାଦର ସ୍ୱର ତେଜିଲାଣି । ଏହା ଜାତୀୟ ମାନବ ଅଧିକାର କମିଶନ, ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଦୃଷ୍ଟି ଆକର୍ଷଣ କରିଛି। ତେବେ ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ବ୍ରହ୍ମଗିରିର ବିଶିଷ୍ଟ ସାମାଜିକ କର୍ମୀ ଆଇନଜୀବୀ ଦିଗମ୍ବର ବେହେରା ଘଟଣାକୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ଦୃଷ୍ଟିକୁ ଆଣିଛନ୍ତି। ଏହି ଘଟଣାରେ ମୁଖ୍ୟ ସଚିବ, ପୋଲିସ ମହାନିର୍ଦ୍ଦେଶକ ଓ ପୁରୀ ଜିଲ୍ଲାପାଳଙ୍କୁ ପକ୍ଷ ରଖିବା ସହିତ ପୀଡିତ ଶିଶୁଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଶ୍ରୀ ବେହେରା ତାଙ୍କ ପିଟିସନରେ ଇ-ମେଲ ମାଧ୍ୟମରେ ଜଣାଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ବିଜୟ