
ନୂଆପଡ଼ା, ୨୬ ମାର୍ଚ୍ଚ (ହି.ସ.)- ନୂଆପଡ଼ା ଜିଲ୍ଲାରେ ବିଭିନ୍ନ ହୋଟେଲ ମାନଙ୍କରେ ଘରୋଇ ଏଲପିଜି ସିଲିଣ୍ଡରକୁ ବାଣିଜ୍ୟିକ ଉଦ୍ଦେଶ୍ୟରେ ଅବୈଧ ବ୍ୟବହାର କରାଯାଉଥିବା ଅଭିଯୋଗ ଉପରେ ଆଜି ଯୋଗାଣ ବିଭାଗର ଇନଫୋର୍ସମେଣ୍ଟ ସ୍କୱାଡ୍ ଦ୍ୱାରା ଚଢ଼ଉ କରାଯାଇଥିଲା। ଏହି ଚଢ଼ଉ ସମୟରେ ନୂଆପଡ଼ା ସହରର ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରୁ ମୋଟ ୧୧ଟି ଏଲପିଜି ସିଲିଣ୍ଡର ଜବତ କରାଯାଇଛି। ନୂଆପଡ଼ା ଏସିଏସଓ (ମୁଖ୍ୟାଳୟ) ପୂର୍ଣ୍ଣାଶା ଭୋଇଙ୍କ ନେତୃତ୍ୱରେ ଏହି ଚଢ଼ଉ କରାଯାଇଥିଲା ବେଳେ ନୂଆପଡ଼ା ବ୍ଲକ୍ ଯୋଗାଣ ନିରୀକ୍ଷକ ସୁଭଶ୍ରୀ ଦାସ ଓ କୋମନା ବ୍ଲକ୍ ଯୋଗାଣ ନିରୀକ୍ଷକ ପୂର୍ଣ୍ଣଚନ୍ଦ୍ର ରାଉତ ଏଥିରେ ସହଯୋଗ କରିଥିଲେ। ଯାଞ୍ଚ ସମୟରେ ଘରୋଇ ଏଲପିଜି ସିଲିଣ୍ଡରକୁ ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବା ପ୍ରମାଣ ମିଳିଥିଲା। ନିୟମ ଉଲ୍ଲଂଘନ ହେବାରୁ ସେଗୁଡ଼ିକୁ ଜବତ କରାଯାଇଛି। ପ୍ରଶାସନ ପକ୍ଷରୁ ଏପରି ଅବୈଧ କାର୍ଯ୍ୟରେ ଜଡିତ ବ୍ୟକ୍ତିଙ୍କ ବିରୋଧରେ ଆଗାମୀଦିନରେ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି। ସମସ୍ତ ବ୍ୟବସାୟୀଙ୍କୁ ନିୟମ ଅନୁସାରେ କେବଳ ବାଣିଜ୍ୟିକ ସିଲିଣ୍ଡର ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ