
ଭଦ୍ରକ, ୨୬ ମାର୍ଚ୍ଚ (ହି.ସ.) - ଏହି ଜିଲାର ଭଣ୍ଡାରିପୋଖରୀ ବେଲଗଡିଆ ସରକାରୀ ଉଚ୍ଚବିଦ୍ୟାଳୟରେ ‘ମୁଁ ବି ହେବି ସାମ୍ବାଦିକ” ଶୀର୍ଷକ କର୍ମଶାଳା ପ୍ରଧାନ ଶିକ୍ଷକ ବିଷ୍ଣୁଚରଣ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରିଣୀ ମଧୁସ୍ମିତା ମହାପାତ୍ର ମୁଖ୍ୟ ଅତିଥି ଭାବେ ଏହି କର୍ମଶାଳାକୁ ଉଦ୍ଘାଟନ କରି ସମ୍ବାଦ ଓ ସାମ୍ବାଦିକତାର ବୈଶିଷ୍ଟ୍ୟ, ଲକ୍ଷଣ ଓ ସଂଗୀତାର ବିଭିନ୍ନ ଦିଗ ସଂପର୍କରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀଙ୍କ ପ୍ରଶ୍ନର ବିଭିନ୍ନ ଉତର ରଖିଥିଲେ। ଏଥିରେ ସାହିତ୍ୟିକ କାର୍ତିକ ସ୍ୱାଇଁ ମୁଖ୍ୟବକ୍ତା ଭାବେ ଯୋଗଦେଇ ସମାଜ ପାଇଁ ସାମ୍ବାଦିକତାର ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ। ସାମ୍ବାଦିକ ରବିନାରାୟଣ ଖିଲାର, ଅନାଦି ଚରଣ ସାହୁ, ରାଜେନ୍ଦ୍ର ଶତପଥୀ, ଦୁର୍ଯ୍ୟୋଧନ ଲେଙ୍କା ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସମ୍ବାଦ, ସମ୍ବାଦପତ୍ର, ବୈଦ୍ୟୁତିକ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ, ୱେବ୍ ମିଡିଆ, କାମଳ ସାମ୍ବାଦିକତା ଆଦିର ସଜ୍ଞା, ଉପଯୋଗିତା, କାର୍ଯ୍ୟ ଓ ଆହ୍ୱାନ ସଂପର୍କରେ ବିସ୍ତୃତ ଆଲୋଚନା କରିବା ସହ ଛାତ୍ରଛାତ୍ରୀଙ୍କ ବିଭିନ୍ନ ଉପାଦୟ ପ୍ରଶ୍ନର ଉତର ରଖିଥିଲେ। ଏଥିପାଇଁ ନିରନ୍ତର କର୍ମଶାଳା ଆୟୋଜନ କରି ଛାତ୍ରଛାତ୍ରୀଙ୍କୁ ସାମ୍ବାଦିକତା ବୃତି ପ୍ରତି ଆକର୍ଷିତ କରିବାକୁ ପରାମର୍ଶ ଦିଆଯାଇଥିଲା। ଶିକ୍ଷୟିତ୍ରୀ ବୈଜୟନ୍ତୀ ବାରିକ ପ୍ରାରମ୍ଭରେ ଶ୍ଲୋକ ପାଠ, ଶିକ୍ଷକ ନରେନ୍ଦ୍ର ନାୟକ ଅତିଥି ପରିଚୟ, ଶିକ୍ଷୟିତ୍ରୀ ସୁଚିସ୍ମିତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ବିରେନ କୁମାର ମହାନ୍ତି, ମଧୁସ୍ମିତା ନାୟକ, ବିଜୟ କୁମାର ନାୟକ, ଶିକ୍ଷା କର୍ମଚାରୀ ବନମାଳୀ ସାମଲ ଓ ଚନ୍ଦ୍ରମଣି ସାମଲ କର୍ମଶାଳା ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ