
ଶ୍ରୀନଗର, ୨୬ ମାର୍ଚ୍ଚ (ହି.ସ.)- କାଉଂଟର ଇଂଟେଲିଜେନ୍ସ କାଶ୍ମୀର (ସିଆଇକେ) ଗୁରୁବାର କାଶ୍ମୀରର ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି । ଏକ ଅନ୍ତର୍ଜାତୀୟ ଆତଙ୍କବାଦୀ ମଡ୍ୟୁଲ୍ ଉପରେ ଚାଲିଥିବା ତଦନ୍ତର ଅଂଶ ଭାବରେ ଏହି ଚଢ଼ଉ କରାଯାଇଛି ।
ଜଣେ ଅଧିକାରୀ କହିଛନ୍ତି ଯେ, ତିନୋଟି ଜିଲ୍ଲାର ୧୦ଟି ସ୍ଥାନରେ ତଲାସୀ ଚାଲିଛି, ଯେଉଁଥିରୁ ଗାନ୍ଦରବଲରେ ୬ଟି ସ୍ଥାନରେ, ସୋପିୟାଂର ୩ଟି ସ୍ଥାନରେ ଏବଂ ଶ୍ରୀନଗରର ଗୋଟିଏ ସ୍ଥାନରେ ଚଢ଼ଉ ହୋଇଛି । ସେ ଆହୁରି କହିଛନ୍ତି ଯେ, ଏହି ତଦନ୍ତ ଲସ୍କର-ଏ-ତୈବା (ଏଲଇଟି)ର କାଶ୍ମୀର ମୂଳ ନିବାସୀ ଶବିର ଅହମ୍ମଦ ଲୋନଙ୍କ ଦ୍ୱାରା ନିର୍ଦ୍ଦେଶିତ ଆତଙ୍କବାଦୀ ମଡ୍ୟୁଲ ସହିତ ଜଡ଼ିତ, ଯିଏକି ବର୍ତମାନ ବାଂଲାଦେଶରେ ଅଛି ।
ଅଧିକାରୀମାନେ କହିଛନ୍ତି ଯେ, ଗାନ୍ଦରବଲ ଜିଲ୍ଲାର କଙ୍ଗନ ଅଂଚଳର ବାସିନ୍ଦା ଲୋନ ବିଦେଶରୁ କାର୍ଯ୍ୟ କରୁଛନ୍ତି । ଅଧିକାରୀ କହିଛନ୍ତି ଯେ, ଏହି ମାମଲା ଏକ ଅନ୍ତର୍ଜାତୀୟ ନେଟୱାର୍କ ସହିତ ଜଡ଼ିତ ଏବଂ ମଡ୍ୟୁଲ ବାଂଲାଦେଶ ଏବଂ ପାକିସ୍ତାନରେ ଅବସ୍ଥିତ ଏଲଇଟି କାର୍ଯ୍ୟକର୍ତାଙ୍କ ଠାରୁ ନିର୍ଦ୍ଦେଶ ପାଉଛି । ସେ କହିଛନ୍ତି ଯେ, ଏହି ତଲାସୀ ସକ୍ଷମ କୋର୍ଟ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଂଟ ଆଧାରରେ କରାଯାଉଛି, ଯାହାକି ନିକଟରେ ପୋଲିସ ଷ୍ଟେସନ ସିଆଇକେ ରେ ଦାୟର୍ ଏକ ନୂଆ ଆତଙ୍କୀ ମାମଲା ର ଯାଂଚ୍ ସମ୍ବନ୍ଧୀୟ ଅଟେ । ଅଧିକ ବିବରଣୀ ଅପେକ୍ଷା କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ