ଚମ୍ପୁଆରେ ଚୋରା ଦେଶୀ (ପଲିଥିନ) ମଦ କାରବାର ବୃଦ୍ଧି : ନିରବଦ୍ରଷ୍ଟା ପ୍ରଶାସନ
ଚମ୍ପୁଆ, ୨୬ ମାର୍ଚ୍ଚ (ହି.ସ.) - ଚୋରା଼ ଦେଶୀ ମଦ ବେପାରୀ ଓ ମଦୁଆଙ୍କ ଉପରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ନିଆ ଯାଉଛି ସତ ମାତ୍ର ଅନିୟମିତତା ଭାବରେ ସରକାରୀ ଦେଶୀ (ପଲିଥିନ) ମଦ ବେପାରୀଙ୍କ ପ୍ରତି ଆଖି ବୁଜି ଦେଇଛି ସ୍ଥାନୀୟ ପ୍ରଶାସନ। ଏହି ସରକାରୀ ଦେଶୀ (ପୋଲିଥିନ) ମଦ ବେପାରୀ ମାନେ ଗାଁ ଗାଁ ରେ ଥ
ଗୋଦାମ ରେ ଗଛିତ ଥିବା ମଦ


ଚମ୍ପୁଆ, ୨୬ ମାର୍ଚ୍ଚ (ହି.ସ.) - ଚୋରା଼ ଦେଶୀ ମଦ ବେପାରୀ ଓ ମଦୁଆଙ୍କ ଉପରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ନିଆ ଯାଉଛି ସତ ମାତ୍ର ଅନିୟମିତତା ଭାବରେ ସରକାରୀ ଦେଶୀ (ପଲିଥିନ) ମଦ ବେପାରୀଙ୍କ ପ୍ରତି ଆଖି ବୁଜି ଦେଇଛି ସ୍ଥାନୀୟ ପ୍ରଶାସନ। ଏହି ସରକାରୀ ଦେଶୀ (ପୋଲିଥିନ) ମଦ ବେପାରୀ ମାନେ ଗାଁ ଗାଁ ରେ ଥିବା ଦୋକାନ ମାନଙ୍କରେ ଦେଶୀ (ପଲିଥିନ) ମଦ ସପ୍ଲାଇ ଦେଇ ଚୋରା ମଦ କାରବାରକୁ ବ୍ୟାପକ କରୁଥିଲେ ମଧ୍ୟ ଏହି ଚୋରା ମଦ କାରବାରକୁ ଅବକାରୀ ବିଭାଗ ଏବଂ ଚମ୍ପୁଆ ପୋଲିସ ପ୍ରଶାସନର ଅହେତୁକ ଅନୁକମ୍ପା ରହିଥିବା କୁହାଯାଉଛି। ଯାହାକୁ ନେଇ ଦିନକୁ ଦିନ ସାଧାରଣରେ ଅସନ୍ତୋଷ ପୁଞ୍ଜିଭୁତ ହେଉଛି।

ଗତ କିଛି ବର୍ଷ ହେବ ରାଜ୍ୟରେ ମଦ ବିରୋଧୀ ଆନ୍ଦୋଳନ ଯେତେ ତୀବ୍ରତର ହେଉଛି ରାଜ୍ୟ ସରକାର ରାଜସ୍ୱ ଆଳରେ ସେତେ ଅଧିକା ମଦ ଦୋକାନକୁ ସ୍ୱୀକୃତି ଦେଇ ମଦ ବ୍ୟବସାୟକୁ ବ୍ୟାପକ କରିବାରେ ଲାଗିଛନ୍ତି। ଯାହା ପାଇଁ ରାଜ୍ୟରେ ମଦ କଳା ବଜାରୀ ମଧ୍ୟ ସମାନ୍ତରାଳ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଅବକାରୀ ବିଭାଗ ଏବଂ ପୋଲିସ ପ୍ରଶାସନର ଅପାରଗତା ହେଉ କି ଆନ୍ତରିକତା ଅଭାବ ପାଇଁ ଅଂଚଳରେ ମଦ କଳା ବଜାରୀ ବୃଦ୍ଧି ପାଉଛି। ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଦେଶୀ ମହୁଲି ମଦ ଉପରେ ଚଢ଼ାଉ କରା ଯାଉଥିବାବେଳେ ଚୋରା (ପଲିଥିନ) ମଦ କାରବାର ଉପରେ ଆଖି ବୁଜି ଦେଇଛି ବିଭାଗ। ଖବର ଅନୁସାରେ, ଚମ୍ପୁଆ ଥାନା ଅନ୍ତର୍ଗତ ପ୍ରତାପପଶି ଠାରେ ଥିବା ସରକାରୀ ଦେଶୀ (ପୋଲିଥିନ) ମଦ ଦୋକାନ ମାଲିକ ବେନିୟମ ଭାବେ ଚମ୍ପୁଆ ଏନଏସି ର ଦୁଇ ନମ୍ବର ୱାର୍ଡ ପାଂଚ ପୋଖରିଆ (ଶଙ୍କରପୁର) ନିକଟରେ ଚମ୍ପୁଆ -ଯୋଡ଼ା ରାସ୍ତା କଡରେ ଏକ ଭଡା ଗୃହରେ ଗୋଦାମ କରି ଚମ୍ପୁଆ ଏନଏସି ର ବିନା ଅନୁମତିରେ ବିଭିନ୍ନ ୱାର୍ଡ ସହିତ ଚମ୍ପୁଆ ବ୍ଲକର ବିଭିନ୍ନ ଗ୍ରାମରେ ଥିବା ଦୋକାନ ମାନଙ୍କରେ ମଦ ସପ୍ଲାଇ ଦେଇ ବେନିୟମ ଭାବେ ମଦ ବିକ୍ରି କରି ଗ୍ରାମାଂଚଳରେ ବିଶୃଙ୍ଖଳିତ ପରିବେଶ ସୃଷ୍ଟି କରୁଥିବାର ଅଭିଯୋଗ ହେଉଛି। ତେବେ ଚମ୍ପୁଆ ଅଂଚଳର କୌଣସି ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ନୁହେଁ ପାଂଚ ପୋଖରିଆସ୍ଥିତ ବେନିୟମ ଗୋଦାମରୁ ଏହି ଦେଶୀ ପୋଲଥିନ ମଦ ଚମ୍ପୁଆ ଏନଏସି ର ପାଂଚପୋଖରିଆ, ଗୋଧୂଳି, ରାମଲା ସମେତ କୋଦଗାଡ଼ିଆ, ଜାମୁଦଲକ ସୁନାପଶି, ରଜିଆ ଆଦି ପଂଚାୟତର ବିଭିନ୍ନ ଗ୍ରାମ ମାନଙ୍କରେ ଥିବା ଦୋକାନୀ ମାନଙ୍କୁ ପ୍ରଲୋଭୀତ କରି ଦୀର୍ଘ ଦିନରୁ ଏହି ଚୋରାମଦ କାରବାର ବ୍ୟାପକ ଭାବେ ବୃଦ୍ଧି କରି ଚାଲିଥିଲେ ମଧ୍ୟ ଏହା ଉପରେ ରୋକ ଲଗାଇ ପାରୁ ନାହିଁ ଅବକାରୀ ବିଭାଗ ଅବା ସ୍ଥାନୀୟ ପ୍ରଶାସନ। ଚମ୍ପୁଆ ଅବକାରୀ କାର୍ଯ୍ୟାଳୟ ଏବଂ ଚମ୍ପୁଆ ଥାନାରୁ ମାତ୍ର ଚାରି କିଲୋମିଟର ଦୂରରେ ଦୀର୍ଘ ଦିନରୁ ବେନିୟମ ଭାବେ ଦେଶୀ ପଲିଥିନ ମଦ ଗୋଦାମ କରି ବିଭିନ୍ନ ଅଂଚଳକୁ ସପ୍ଲାଇ କରା ଯାଉଥିଲେ ମଧ୍ୟ ଏଥି ପ୍ରତି ବିଭାଗୀୟ ଅଧିକାରୀ ମାନେ ଜାଣି ଶୁଣି ନିରବଦ୍ରଷ୍ଟା ସାଜିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଦେଶୀ ପଲିଥିନ ମଦ ବେପାରୀ ବେନିୟମ ଭାବେ ମଦ କାରବାର କରୁଥିଲେ ମଧ୍ୟ ତା ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଚମ୍ପୁଆ ଏନଏସି ଏବଂ ବ୍ଲକର ବିଭିନ୍ନ ଗ୍ରାମରେ ଚୋରା ଦେଶୀ ମଦ କାରବାର ଦିନକୁ ଦିନ ସୀମା ଟପିବାରେ ଲାଗିଛି। ଚୋରା ଓ ଅପମିଶ୍ରିତ ଦେଶୀ ପଲିଥିନ ମଦ ପିଇ ପୁରୁଷ ମାନେ କମ ବୟସରେ ଅକାଳ ମୃତ୍ୟୁବରଣ କରୁଥିବା ବେଳେ ଅଂଚଳରେ ବିଧବାଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଅକାଳରେ ପରିବାର ମୁଖିଆ ମୃତ୍ୟୁବରଣ କରୁଥିବାରୁ ବାପା, ମା ଛେଉଣ୍ଡଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଯାହାଫଳରେ ଅଶିକ୍ଷା, ଦାରିଦ୍ର୍ୟ ଜନିତ ସମସ୍ୟା ଏମାନଙ୍କର ଚିର ସହଚର ହୋଇଛି। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଚିନ୍ତାର ବିଷୟ ପାଲଟିଥିବା ବେଳେ ଏହାକୁ ନେଇ ଅଂଚଳରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

ଏଣୁ ଏ ଦିଗରେ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇ ତୁରନ୍ତ ଚୋରା ଦେଶୀ (ପୋଲିଥିନ) ମଦ କାରବାରକୁ ବନ୍ଦ କରିବା ପାଇଁ ସାଧାରଣରେ ଦାବୀ ହେଉଛି।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande