
ଝାରସୁଗୁଡ଼ା, ୨୬ ମାର୍ଚ୍ଚ (ହି.ସ.)- ସ୍ୱଚ୍ଛ ସର୍ବେକ୍ଷଣ ୨୦୨୫-୨୬'ରେ ଝାରସୁଗୁଡ଼ା ପୌରପାଳିକାର ରାଙ୍କରେ ଉନ୍ନତି ଆଣିବା ଲକ୍ଷ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୌର ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ସ୍ୱଚ୍ଛ ସାଥୀ ଏବଂ ସୁପରଭାଇଜରମାନେ ଯୋଗ ଦେଇଥିଲେ। ସହରକୁ ଅଳିଆମୁକ୍ତ କରିବା ସହ ସ୍ୱଚ୍ଛତା ମାପଦଣ୍ଡରେ ଶ୍ରେଷ୍ଠ ପ୍ରଦର୍ଶନ କରିବା ପାଇଁ ଏଥିରେ ବିସ୍ତୃତ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି।
ଏହି ଅବସରରେ ଶ୍ରୀ ମଲ୍ଲିକ ଘରକୁ ଘର ବୁଲି ଆଳିଆ ସଂଗ୍ରହ ଏବଂ ଉତ୍ସ ସ୍ଥଳରେ ହିଁ ଓଦା ଓ ଶୁଖିଲା ଆଳିଆ ପୃଥକୀକରଣ ଉପରେ ସର୍ବାଧିକ ଗୁରୁତ୍ୱ ଦେଇଥିଲେ। ସଂଗୃହିତ ଶୁଖିଲା ବର୍ଜ୍ୟବସ୍ତୁକୁ ଏମ୍ ଆର ଏଫ୍ କେନ୍ଦ୍ରରେ ପ୍ରକ୍ରିୟାକରଣ କରିବା ଏବଂ ଓଦା ବର୍ଜ୍ୟବସ୍ତୁରୁ ଏମ୍ସିସି କେନ୍ଦ୍ର ମାଧ୍ୟମରେ 'ମୋ ଖତ' (ଜୈବିକ ସାର) ପ୍ରସ୍ତୁତ କରିବା ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସହରର କୌଣସି ସ୍ଥାନରେ ଯେପରି ଅଳିଆ ଗଦା ନରହେ, ସେଥିପ୍ରତି ସତର୍କ ରହିବା ସହ ପୁରୁଣା ଆଳିଆ ଗଦା ସ୍ଥାନଗୁଡ଼ିକୁ ବୃକ୍ଷରୋପଣ ମାଧ୍ୟମରେ ସବୁଜ ବଳୟରେ ପରିଣତ କରିବା ପାଇଁ ଯୋଜନା କରାଯାଇଛି। ବୈଠକରେ ସହରର ମୁଖ୍ୟ ରାସ୍ତା, ଗଳି ଏବଂ ଘର ପଛପଟ ଅଞ୍ଚଳର ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ପାଇଁ ଜନସାଧାରଣଙ୍କ ସହଭାଗିତା ଉପରେ ଆଲୋଚନା ହୋଇଥିଲା। ଲୋକମାନେ ଯେପରି ରାସ୍ତାଘାଟ କିମ୍ବା ନାଳରେ ଅଳିଆ ନଫିଙ୍ଗି ପୌରପାଳିକାର ସଫେଇ ଗାଡ଼ିକୁ ଅଳିଆ ଦିଅନ୍ତି, ସେଥିପାଇଁ ବିଭିନ୍ନ ୱାର୍ଡରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ। ସ୍ୱଚ୍ଛତା ସର୍ଭେରେ ସାଧାରଣ ଜନତାଙ୍କ 'ଭୋଟିଂ' ଏକ ମୁଖ୍ୟ ଅଂଶ ହୋଇଥିବାରୁ, ଏଥିରେ ସମସ୍ତଙ୍କ ସକ୍ରିୟ ଅଂଶଗ୍ରହଣ ପାଇଁ ଅନୁରୋଧ କରାଯାଇଛି। ସହରକୁ ସୁନ୍ଦର କରିବା ପାଇଁ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ମଧ୍ୟ ଜୋରଦାର କରାଯିବ ବୋଲି ପୌରପାଳିକା ପକ୍ଷରୁ ସୂଚନା ଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ