
ଝାରସୁଗୁଡ଼ା, ୨୬ ମାର୍ଚ୍ଚ (ହି.ସ.)- ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ 'ପ୍ରାକ୍-ଗର୍ଭଧାରଣ ଏବଂ ପ୍ରାକ୍-ପ୍ରସବ ନିଦାନ କୌଶଳ' ଆଇନ ସମ୍ପର୍କିତ ଜିଲ୍ଲା ସ୍ତରୀୟ ସମୀକ୍ଷା ଏବଂ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାରେ କନ୍ୟା ଭ୍ରୂଣ ହତ୍ୟା ରୋକିବା ଏବଂ ଆଇନର କଠୋର କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରାଯାଇଛି।
ବୈଠକରେ ଜିଲ୍ଲାପାଳ କହିଛନ୍ତି ଯେ, ଲିଙ୍ଗ ଚୟନ ଏବଂ ଭ୍ରୂଣର ଲିଙ୍ଗ ନିରୂପଣ ଭଳି ବେଆଇନ କାର୍ଯ୍ୟ କ୍ଷେତ୍ରରେ ପ୍ରଶାସନ 'ଜିରୋ ଟଲରାନ୍ସ' ବା ଶୂନ୍ୟ ସହନଶୀଳତା ନୀତି ଆପଣେଇବ। ଜିଲ୍ଲାରେ ଥିବା ସମସ୍ତ ଅଲ୍ଟ୍ରାସାଉଣ୍ଡ ୟୁନିଟଗୁଡ଼ିକର ଆକସ୍ମିକ ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ ନିମନ୍ତେ ଅନୁମୋଦନ ଦିଆଯାଇଛି। ଏଥିସହିତ ବ୍ଲକ୍ ସ୍ତରୀୟ ଯାଞ୍ଚ ଦଳକୁ ନିୟମିତ ଭାବେ କ୍ଲିନିକ୍ ଗୁଡ଼ିକ ପରିଦର୍ଶନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଓ ସଚେତନତା ଉପରେ ଗୁରୁତ୍ୱ ସାମାଜିକ ପରିବର୍ତ୍ତନ ପାଇଁ ତୃଣମୂଳ ସ୍ତରରେ ସଚେତନତା ସୃଷ୍ଟି କରିବାକୁ ଅଧ୍ୟକ୍ଷ ଗୁରୁତ୍ୱ ଦେଇଛନ୍ତି। ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀ, ମହିଳା ଆରୋଗ୍ୟ ସମିତି ଏବଂ ସାମାଜିକ ସଂଗଠନଗୁଡ଼ିକୁ ଏହି ଅଭିଯାନରେ ସାମିଲ କରିବାକୁ ପରାମର୍ଶ ଦିଆଯାଇଛି। ବିଶେଷ କରି ମା' ଓ ଶିଶୁ ସୁରକ୍ଷା କାର୍ଡରେ ପଞ୍ଜିକୃତ ହୋଇନଥିବା ଗର୍ଭବତୀ ମହିଳା ଏବଂ ଗର୍ଭପାତ ହେଉଥିବା ମାମଲାଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି, ଯେପରି କୌଣସି ଅନୈତିକ ଲିଙ୍ଗ ଚୟନ ପ୍ରକ୍ରିୟା ଘଟିପାରିବ ନାହିଁ।
ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମହେଶ ମୋହନ ପଣ୍ଡା ଉପସ୍ଥିତ ରହିଥିଲେ। ଏଥିସହ ପିସି ଓ ପିଏନଡିଟି କମିଟିର ସମସ୍ତ ସଦସ୍ୟଙ୍କ ସମେତ ଜିଲ୍ଲା କାର୍ଯ୍ୟକ୍ରମ ପ୍ରବନ୍ଧକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ଆଇନ ବ୍ୟାପାର ପରିଚାଳକ ଉପସ୍ଥିତ ରହିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ