
ଡେରାଡୁନ, ୨୬ ମାର୍ଚ୍ଚ (ହି.ସ.)- ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଗୁରୁବାର ଜଲିଗ୍ରାଂଟ ବିମାନବନ୍ଦରରୁ ଡେରାଡୁନ-ପିଥୌରାଗଡ଼-ଡେରାଡୁନ ବିମାନ ସେବାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାମନବମୀର ପବିତ୍ର ଅବସରରେ ଆରମ୍ଭ ହୋଇଥିବା ଏହି ସେବା ପିଥୌରାଗଡ଼ ଏବଂ ଡେରାଡୁନ ମଧ୍ୟରେ ଯାତ୍ରା ସମୟକୁ ପ୍ରାୟ ଏକ ଘଂଟା ହ୍ରାସ କରିବ । ଏହା ସାମରିକ ଦୃଷ୍ଟି କୋଣରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ ।
ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ପୂର୍ବରୁ ବିମାନ ଯାତ୍ରାକୁ ଧନୀ ବର୍ଗ ପାଇଁ ସୀମିତ ଏକ ସୁବିଧା ଭାବରେ ବିବେଚନା କରାଯାଉଥିଲା, କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ୨୦୧୬ରେ ଆରମ୍ଭ ହୋଇଥିବା ଉଡ଼ାଣ ଯୋଜନା ସାଧାରଣ ଲୋକଙ୍କ ପାଇଁ ବିମାନ ଯାତ୍ରାକୁ ସୁଲଭ କରିଛି । ଏହି ଯୋଜନା ଅଧୀନରେ, ଛୋଟ ସହର ଏବଂ ଦୂରଦୂରାନ୍ତ ଅଂଚଳଗୁଡ଼ିକୁ ବିମାନ ନେଟୱାର୍କ ସହିତ ସଂଯୋଗ କରାଯାଉଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାର ସମ୍ପ୍ରତି ଉଡାଣ ଯୋଜନା ୨.୦ କୁ ଅନୁମୋଦନ କରିଛନ୍ତି, ଯାହାର ଲକ୍ଷ୍ୟ ଆଗାମୀ ୧୦ ବର୍ଷ ମଧ୍ୟରେ ପ୍ରାୟ ୨୯ ହଜାର କୋଟି ବିନିଯୋଗ ସହିତ ୧୦୦ଟି ନୂତନ ବିମାନବନ୍ଦର ଏବଂ ୨୦୦ ହେଲିପ୍ୟାଡ୍ ବିକଶିତ କରିବା । ଏହାର ଉଦ୍ଦେଶ୍ୟ ହେଉଛି ଟିୟର-୨ ଏବଂ ଟିୟର-୩ ସହରଗୁଡ଼ିକରେ ଆଂଚଳିକ ସଂଯୋଗକୁ ସୁଦୃଢ଼ କରିବା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉତରାଖଣ୍ଡ ଭଳି ଏକ ପାର୍ବତ୍ୟ ରାଜ୍ୟରେ, ବିମାନ ସେବା କେବଳ ପରିବହନର ଏକ ମାଧ୍ୟମ ନୁହେଁ ବରଂ ଏକ ଜୀବନରେଖା ପାଲଟିଛି । ଦୁର୍ଗମ ଅଂଚଳକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଏବଂ ଗୁରୁତର ରୋଗୀଙ୍କୁ ତୁରନ୍ତ ଚିକିତ୍ସା ପାଇଁ ପ୍ରମୁଖ ହସ୍ପିଟାଲଗୁଡ଼ିକୁ ପରିବହନ କରିବାରେ ଏଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ