
ଭଦ୍ରକ, ୨୬ ମାର୍ଚ୍ଚ (ହି.ସ.) - ଦୈନିକ ସମ୍ବାଦ ପତ୍ର 'ହୀରାଂଚଳ'ର ୨୦ତମ ସ୍ୱନକ୍ଷତ୍ର ଉତ୍ସବ ଭୁବନେଶ୍ୱରର ସ୍ଥିତ ଏକ ହୋଟେଲ ପ୍ରାଚୀ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସମାଜସେବା, ସାହିତ୍ୟ,ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଉତ୍ସବରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଯଶୀପୁର ଗ୍ରାମର ସରୋଜିନୀ ତ୍ରିପାଠୀ ଓ ଗିରିଧାରୀ ତ୍ରିପାଠୀଙ୍କ ସୁପୁତ୍ର ଯୁବ ସମାଜସେବୀ ସଂଗ୍ରାମ ତ୍ରିପାଠୀଙ୍କୁ ବିଭିନ୍ନ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ହୀରାଂଚଳ ସମ୍ମାନ-୨୦୨୬ ପ୍ରଦାନ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଉଦଘାଟକ ଓ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ତଥା ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ,ସମ୍ମାନିତ ଅତିଥି ଭାବେ ବୌଦ୍ଧ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ,ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଓଡ଼ିଶା ପୂର୍ବ ପ୍ରାନ୍ତ କାର୍ଯ୍ୟବାହ ଡ଼ ଅନିଲ କୁମାର ମିଶ୍ର, ଅନ୍ୟତମ ସମ୍ମାନିତ ଅତିଥି ଭାବେ କନ୍ଧମାଳ ଲୋକସଭା ସାଂସଦ ସୁକାନ୍ତ ପାଣିଗ୍ରାହୀ,ହୀରାଂଚଳ ସଂପାଦକ ଯୁଗଳ କିଶୋର ସାମଲ ଓ ଅନ୍ୟ ଅତିଥି ମାନଙ୍କ ଦ୍ୱାରା ଶ୍ରୀ ତ୍ରିପାଠୀଙ୍କୁ ମାନପତ୍ର,ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଛି। ସେ ପିତାମାତା ଦେଇଥିବା ସଂଗ୍ରାମ ନାମକୁ ସାର୍ଥକ କରିଛନ୍ତି। ସମାଜସେବା କ୍ଷେତ୍ରରେ ଯେତେ ଝଡ଼ଝଞ୍ଜା ଆସିଲେ ବି ଜୀବନର ମହାସଂଗ୍ରାମକୁ ନଡରି ପାଦ ଆଗକୁ ବଢ଼ାଇଛନ୍ତି। କବିତା, ଗଳ୍ପ ରଚନା, ଅଭିନୟ,ଉପସ୍ଥାପନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇଛନ୍ତି। ସମାଜସେବା ଲାଗି ଓଡିଶା ସରକାରଙ୍କ କ୍ରୀଡ଼ା ଯୁବବ୍ୟାପାର ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଠାରୁ ''ମୁଁ ହିରୋ ମୁଁ ଓଡ଼ିଶା'' ସମ୍ମାନ ୨୦୨୦,ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ ବିଭାଗ ପକ୍ଷରୁ ''ପ୍ରକୃତି ବନ୍ଧୁ'' ସମ୍ମାନ,ରାଜ୍ୟ ସରକାରଙ୍କ ପକ୍ଷରୁ ସମାଜସେବା ଲାଗି ୨୦୧୫-୧୬ ମସିହା ଲାଗି ''ଏନ.ଏସ.ଏସ ଷ୍ଟେଟ ଆୱାର୍ଡ଼ ସହ ପ୍ରେରଣା ଅନୁଷ୍ଠାନ ପକ୍ଷରୁ ଗ୍ରୀନ୍ ୱାରିୟର୍ସ ସମ୍ମାନ, ଓଡ଼ିଶା ପ୍ରାଇଡ୍ ଅନୁଷ୍ଠାନ ପକ୍ଷରୁ ଓଡିଶା ପ୍ରାଇଡ୍ ସମ୍ମାନ ଲାଭ କରିବା ସହ କବିତା, ଗଳ୍ପ ରଚନା ଲାଗି ବିଭିନ୍ନ ଅନୁଷ୍ଠାନରୁ କବି ପ୍ରତିଭା କବି ମଞ୍ଜୁଳ କବି ଶ୍ରୀ ସମ୍ମାନରେ ସମ୍ବର୍ଦ୍ଧିତ ହୋଇଛନ୍ତି। ଶ୍ରୀ ତ୍ରିପାଠୀ ଅଧୁନା ଆକାଶବାଣୀ କଟକ କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମର ଘୋଷକ ଭାବେ କାର୍ଯ୍ୟକରି ଶ୍ରୋତାଙ୍କ ମନ କିଣିଛନ୍ତି। କଳା ଓ ସମାଜସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ଓ ସ୍ୱୀକୃତି ମିଳିଛି। ଗ୍ରାମାଂଚଳର କଳା ସଂସ୍କୃତି ଏବଂ ସମାଜସେବା କ୍ଷେତ୍ରରେ ସର୍ବାଙ୍ଗୀନ ବିକାଶ ପାଇଁ ସଂଗ୍ରାମ ନିଜକୁ ଉତ୍ସଗ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ତାଙ୍କର ଏହି ଉଲ୍ଲେଖନୀୟ ସଫଳତା ପାଇଁ ବରିଷ୍ଠ ବିଜେଡି ନେତା ପ୍ରତାପ ଚନ୍ଦ୍ର ଧଳ, ଜି.ପି ହାଇସ୍କୁଲ ଜଳଧରପୁରର ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରତାପ କିଶୋର ମହାନ୍ତି,ପାଳିଆବିନ୍ଧା କଲେଜର ରାଜନୀତି ବିଜ୍ଞାନର ଅଧ୍ୟାପକ ସରୋଜ କୁମାର ମହାପାତ୍ର, ମୋ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ସାହୁ ପ୍ରମୁଖ ସଂଗ୍ରାମ ତ୍ରିପାଠୀଙ୍କୁ ଶୁଭେଛା ଜଣାଇବା ସହ ତାଙ୍କୁ ବିଭିନ୍ନ ମହଲରୁ ଛୁଟିଛି ଶୁଭେଚ୍ଛାର ସୁଅ, ତାଙ୍କର ପ୍ରଶଂସକମାନେ ମଧ୍ୟ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ