ଜିଲ୍ଲା ଖାଉଟି ଅଦାଲତରେ ଦଣ୍ଡିତ ହେଲା ସ୍ୱାସ୍ଥ୍ୟ ବୀମା କଂପାନୀ
ବଲାଙ୍ଗୀର,୨୬ ମାର୍ଚ୍ଚ(ହି.ସ.) – ବଲାଙ୍ଗୀର ରାମେଶ୍ୱର ନଗରର ବିଶ୍ୱନାଥ ଦାସ ଗତ ୨ଠ୨୨ ମସିହା ମାର୍ଚ୍ଚ ୩ଠ ତାରିଖରେ ନିଭା ବୁପା ଇନସ୍ୟୁରେନ୍ସ କଂପାନୀ ଅଧିନରେ ଏକ ୩ବର୍ଷିଆ ସ୍ୱାସ୍ଥ୍ୟ ବୀମା କରିଥିଲେ। ୧ଠଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସୁବିଧା ଅନ୍ତର୍ଭୁକ୍ତ ଥିବା ଏହି ବୀମା କଂପାନୀକୁ ବିଶ୍ୱନାଥ
ଜିଲ୍ଲା ଖାଉଟି ଅଦାଲତରେ ଦଣ୍ଡିତ ହେଲା ସ୍ୱାସ୍ଥ୍ୟ ବୀମା  କଂପାନୀ


ବଲାଙ୍ଗୀର,୨୬ ମାର୍ଚ୍ଚ(ହି.ସ.) – ବଲାଙ୍ଗୀର ରାମେଶ୍ୱର ନଗରର ବିଶ୍ୱନାଥ ଦାସ ଗତ ୨ଠ୨୨ ମସିହା ମାର୍ଚ୍ଚ ୩ଠ ତାରିଖରେ ନିଭା ବୁପା ଇନସ୍ୟୁରେନ୍ସ କଂପାନୀ ଅଧିନରେ ଏକ ୩ବର୍ଷିଆ ସ୍ୱାସ୍ଥ୍ୟ ବୀମା କରିଥିଲେ। ୧ଠଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସୁବିଧା ଅନ୍ତର୍ଭୁକ୍ତ ଥିବା ଏହି ବୀମା କଂପାନୀକୁ ବିଶ୍ୱନାଥ ୩ଠହଜାର ୪୯୭ଟଙ୍କାର ବାର୍ଷିକ ପ୍ରିମିୟମ ମଧ୍ୟ ପଇଠ କରିଥିଲେ। ତେବେ ଗତ ୨ଠ୨୫ ସେପ୍େଟମ୍ବର ୨୬ ତାରିଖରେ ବିଶ୍ୱନାଥଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ସେ ଭୁବନେଶ୍ୱର ସମ୍ ଅଲଟିମେଟ ମେଡିକେୟାରରେ ଭର୍ତି ହୋଇଥିଲେ ଏବଂ ଅକ୍ଟୋବର ୧ଠ ତାରିଖରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। ପୁଣି ସେ ହାଇଦ୍ରାବାଦର ଏଆଇଜି ହସ୍ପିଟରେ ଚିକିତ୍ସିତ ହୋଇଥିଲେ। ଏହାପରେ ବିଶ୍ୱନାଥ ତୃତୀୟ ଥର ପାଇଁ ଉନ୍ନତତର ଚିକିତ୍ସା ପାଇଁ ହାଇଦ୍ରାବାଦର ଗାଛିବୋଲି ହସ୍ପିଟାଲରେ ଭର୍ତି ହୋଇଥିଲେ। ବୀମା ପଇଠ ଅବଧି ମଧ୍ୟରେ ବିଶ୍ୱାନଥ ଏହି ୩ ହସ୍ପିଟାଲରେ ଭର୍ତି ହୋଇଥିଲେ ମଧ୍ୟ କୌଣସି ବି ହସ୍ପିଟାଲରେ ସେ ସ୍ୱାସ୍ଥ୍ୟବୀମାର ସୁବିଧା ପାଇନଥିଲେ। ନିଜ ହାତରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସେ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଇନସ୍ୟୁରେନ୍ସ କଂପାନୀଙ୍କୁ ବାରମ୍ବାର ଅନୁରୋଧ ସତ୍ୱେ ନିଭା ବୁପା ଇନସ୍ୟୁରେନ୍ସ କଂପାନୀ ବିଶ୍ୱନାଥଙ୍କ କୌଣସି କଥା ଶୁଣିନଥିଲା କି ମେଡିକାଲ ଖର୍ଚ୍ଚ ବାବଦକୁ ରୋଗୀକୁ ଟଙ୍କାଟିଏ ମଧ୍ୟ ଦେଇନଥିଲେ। ଠକାମୀର ଶିକାର ହୋଇଥିବା ଜାଣିବା ପରେ ନିଭା ବୁପା ଇନସ୍ୟୁରେନ୍ସ କଂପାନୀର ଏକଚାଟିଆ କାରବାର ବିରୁଦ୍ଧରେ ବିଶ୍ୱନାଥ ବଲାଙ୍ଗୀର ଜିଲ୍ଲା ଖାଉଟି ଅଦାଲତର ଆଶ୍ରୟ ନେଇଥିଲେ। ଅଦାଲତ ଦୁଇପକ୍ଷଙ୍କ ଅଭିଯୋଗ ଶୁଣିବା ପରେ ନିଭା ବୁପା ଇନସ୍ୟୁରେନ୍ସ କଂପାନୀକୁ ଦଣ୍ଡିତ କରିଛନ୍ତି। ନିଜ କାର୍ଯ୍ୟରେ ଅବହେଳା ଯୋଗୁଁ କୋର୍ଟ ନିର୍ଦ୍ଦେଶ କ୍ରମେ ନିଭା ବୁପା ଇନସ୍ୟୁରେନ୍ସ କଂପାନୀ ରୋଗୀଙ୍କୁ ବାର୍ଷିକ ୯ ପ୍ରତିଶତ ସୁଧରେ ଏକମାସ ଭିତରେ ୧ଠଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଆଦେଶ ଦେଇଛନ୍ତି। ଏଥିସହ ରୋଗୀର ମାନସିକ ଯନ୍ତ୍ରଣା ବାବଦକୁ ୧ଲକ୍ଷ ୫ଠହଜାର ଓ ମୁକଦ୍ଦମା ପରିଚାଳନା ବାବଦକୁ ୧ଠ ହଜାର ଟଙ୍କ ମଧ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ତରଫରୁ ଅମ୍ବୁଜ ମହାନ୍ତି ଓ ଡୋଳାମଣି ପଧାନ ଏହି ମୁକଦ୍ଦମାକୁ ପରିଚାଳନା କରୁଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande