
ଝାରସୁଗୁଡ଼ା, ୨୬ ମାର୍ଚ୍ଚ (ହି.ସ.)- ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ସଦର ପଞ୍ଚାୟତରେ ସରକାରୀ ନିୟମର ଖୋଲା ଖୋଲି ଉଲ୍ଲଘଂନ କରି ମନରେଗା(ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା)ଯୋଜନାରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ୭ ଦିନ ମଧ୍ୟରେ ଶ୍ରମ ପ୍ରାପ୍ୟ ଦେବା ବଦଳରେ ଦୀର୍ଘ ୨ ମାସ ହେଲା ପ୍ରାପ୍ୟ ପାଇ ପାରିନଥିବା ନେଇ ଶ୍ରମିକ ମାନଙ୍କ ପକ୍ଷରୁ ବିଡ଼ିଓଙ୍କ ନିକଟରେ ଅଭିଯୋଗ ହୋଇଛି l
ଅଭିଯୋଗ ଅନୁଯାୟୀ, ତରେଇକେଲା ରାଜସ୍ବ ଗ୍ରାମର ୬୦ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ଶ୍ରମିକ ତରେଇକେଲାରୁ ପଟ୍ଟାପଡ଼ା ଧର୍ଶା ରାସ୍ତାର ଉନ୍ନତିକରଣ କାର୍ଯ୍ୟରେ ମାଟି କାମ କରି ଆସୁଛନ୍ତି l ଗତ ୧୩.୦୧.୨୦୨୬ ରୁ ରାସ୍ତାର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଛି l ୭ ଦିନରେ ଥରେ ଶ୍ରମିକ ମାନଙ୍କ ମଷ୍ଟର ରୋଲ ବାହାର କରି ଶ୍ରମିକଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ପ୍ରାପ୍ୟ ଦେବାର ନିୟମ ରହିଛି l କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ଗାଁ ସାଥୀ କ୍ଷୀରସିନ୍ଧୁ ବିଶି ଶ୍ରମିକଙ୍କ ହାଜିରା ପକାଇ ପ୍ରତ୍ୟେକ ସପ୍ତାହରେ ମାଷ୍ଟରରୋଲ୍ ତିଆରି କରୁଛନ୍ତି l ମାତ୍ର କାର୍ଯ୍ୟ ଆରମ୍ଭର ଅଢେଇ ମାସ ହେଲା ୬୦ ରୁ ଉର୍ଦ୍ଧ୍ୱ ଶ୍ରମିକ ଟଙ୍କାଟିଏ ଶ୍ରମ ପ୍ରାପ୍ୟ ପାଇ ନାହାନ୍ତି l ଏ ନେଇ ରାସ୍ତା କାର୍ଯ୍ୟ କରିଥିବା ଶ୍ରମିକ ସୁଶାନ୍ତ ପ୍ରଧାନ, ପୁରୁଷୋତ୍ତମ ପ୍ରଧାନ, ବିଶେଶ୍ୱର ପ୍ରଧାନ, ତପସ୍ୱିନୀ ଦେହେରିଆ, ଚନ୍ଦ୍ରକାନ୍ତି ପେଣ୍ଠେଇ, ସୁଦାମ ଲୁହା, ମୋହନ ଲୁହା, ଦୁବରାଜ ଦେହେରିଆ, ମୋତିରାମ ଲୁହା, ହରିପ୍ରିୟା ଲୁହାଙ୍କ ସହ ୬୦ ରୁ ଊର୍ଦ୍ଧ୍ଵ ମହିଳା ଓ ପୁରୁଷ ଶ୍ରମିକ ମଙ୍ଗଳବାର କୋଲାବିରା ବିଡ଼ିଓଙ୍କୁ ଲିଖିତ ଅଭିଯୋଗ ଜଣାଇଛନ୍ତି l ଏନେଇ ୭ ଦିନ ମଧ୍ୟରେ ଶ୍ରମିକଙ୍କୁ ପାଉଣା ପ୍ରଦାନ କରାଯିବ ବୋଲି ବିଡ଼ିଓ ଅଶୋକ ମାଝୀ ଅଭିଯୋଗ ପାଇଁ ଯାଇଥିବା ଶ୍ରମିକଙ୍କୁ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି l
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ