
କନ୍ଧମାଳ, ୨୬ ମାର୍ଚ୍ଚ (ହି.ସ.)- ଫୁଲବାଣୀର ବରିଷ୍ଠ କ୍ରୀଡାବିତ୍, ସମାଜସେବୀ ତଥା ସଂସ୍କାରକ ମାଇକେଲ ନାୟକଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ମୃତ୍ୟୁ ଶଯ୍ୟାରେ ତାଙ୍କ ନିକଟରେ ତାଙ୍କର ବଡ ପୁଅ ଗାବ୍ରିଏଲ୍ ନାୟକ ଓ ସାନ ପୁଅ, ବୋହୁ ଏବଂ ଅନ୍ୟ ପରିବାର ସଦସ୍ୟ ମାନେ ଉପସ୍ଥିତ ଥିଲେ। ସେ ଦୀର୍ଘ ଦିନ ଧରି ଚିକିତ୍ସାଧିନ ଅବସ୍ଥାରେ ଥିଲେ। ସେ ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ବିଭାଗର ପାଠାଗାରର ଦାୟିତ୍ଵରେ ଥିଲେ। ସେ ଜଣେ ଉଚ୍ଚକୋଟିର ଫୁଟବଲ ଖେଳାଳି, ପୋଲଭୋଲ୍ଟ ର ଚମ୍ପିଆନ୍ ଥିଲେ। ଏଥି ସହିତ ସେ ଫୁଲବାଣୀ ବଡିବିଲ୍ଡିଂ କ୍ଲବ୍ ର ପ୍ରତିଷ୍ଠାତା ତଥା ସମ୍ପାଦକ, ଫୁଲବାଣୀ ଓଡ଼ିଆ ବାପଟିଷ୍ଟ୍ ଚର୍ଚ୍ଚ ର ସମ୍ପାଦକ ଭାବେ ଦୀର୍ଘ ଦିନ ଧରି ଦାୟିତ୍ଵ ନିର୍ବାହ କରିଥିଲେ। ସେ ଫୁଲବାଣୀର ଯୁବ ପିଢ଼ିର ଉନ୍ନତି ତଥା କ୍ରୀଡାର ଉନ୍ନତି ଦିଗରେ ଅନେକ କାର୍ଯ୍ୟ କରିଛନ୍ତି। ବୁଧବାର ବିଳମ୍ବିତ ରାତିରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଦେହାନ୍ତ ଘଟିଛି।
ତାଙ୍କର ଦେହାନ୍ତରେ ଫୁଲବାଣୀର ବରିଷ୍ଠ ସାମ୍ବାଦିକ ଡଃ. ଅରୁପ କୁମାର ଜେନା, ଜିଲ୍ଲା ପ୍ରେସ କ୍ଲବ ର ସଭାପତି ସୁନୀଲ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ବେହେରା, ସାଧାରଣ ସମ୍ପାଦକ ତ୍ରିନାଥ ସାହୁ,ସଜିତ ବେହେରା ଏବଂ କ୍ରୀଡାବିତ୍ ଅଶୋକ ପଟ୍ଟନାୟକ, ନାରାୟଣ ସାହୁ ଓ ଅନ୍ୟ ମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ