
ଝାରସୁଗୁଡ଼ା, ୨୬ ମାର୍ଚ୍ଚ (ହି.ସ.) ଜିଲ୍ଲା କୋଲାବିରା କୃଷି ସେବା ସମବାୟ ସମିତିର ବାର୍ଷିକ ସାଧାରଣ ସଭା ସାହ୍ଲେପାଲି ଗ୍ରାମରେ ସମିତିର ସଭାପତି କିର୍ତ୍ତିଚନ୍ଦ୍ର ବହିଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଝାରସୁଗୁଡ଼ା ସହ ନିବନ୍ଧକ ବନମାଳୀ ନାଏକ ଓ ଲାଇକେରା ସମବାୟ ବ୍ୟାଙ୍କ ନିରୀକ୍ଷକ ଗଣନାଥ ଖର୍ସେଲ ଅତିଥି ଭାବରେ ଯୋଗଦେଇଥିଲେ l
ପ୍ରାରମ୍ଭରେ ସମିତିର ସମ୍ପାଦକ ଦେବରାଜ କୁମୁରା ବାର୍ଷିକ ବିବରଣୀ ପଠନ କରିବା ସହ ଆୟ ବ୍ୟୟର ସୂଚନା ଦେଇଥିଲେ l ଓଡ଼ି ବା ଖିଲାପି ଋଣୀ ସଂଖ୍ୟା ବଢ଼ିଥିବା ବେଳେ ଏବେ ୧୩.୫୦ ପ୍ରତିଶତ ସୁଧରେ ଟଙ୍କା ବଢ଼ିବାରେ ଲାଗିଛି l ଏଣୁ ଖିଲାପିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସଭାରେ ପ୍ରସ୍ତାବ ଆଗତ କରାଯାଇଥିଲା l ଏବେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ପାଇଁ ୦ ପ୍ରତିଶତ ସୁଧ, ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ ଋଣ ପାଇଁ ୨ ପ୍ରତିଶତ ସୁଧ ଓ ଋଣରେ ଓଡ଼ି ଥିବା ସଦସ୍ୟଙ୍କୁ ୧୩.୫ ପ୍ରତିଶତ ସୁଧ ପଡୁଥିବା ନେଇ ସମ୍ପାଦକ ସୂଚନା ଦେଇଥିଲେ l
ଏହି ଅବସରରେ ସଠିକ୍ ସମୟରେ ଋଣ ପରିଶୋଧ କରିଥିବା ଚାଷୀ ଦୁଃଖବନ୍ଧୁ ସାହୁ, ରମେଶ ଚନ୍ଦ୍ର ସାହୁ, ମଦନ ସୁନ୍ଦର ପଟେଲ, ପ୍ରଦୀପ ପଟେଲ, ଆଲିସ ପଟେଲ, ଆୟୁଷ ପଟେଲ ଓ ଅନାଦି ପଧାନ ଏବଂ ସମିତି ଅଧିନସ୍ଥ ମିନି ବ୍ୟାଙ୍କର ଉତ୍ତମ ଗ୍ରାହକ ଭାବରେ ଡୋଳାମଣି ବେହେରା, ଭାଗିରଥୀ ପଧାନ, କମଳ ଧୁରୁଆ, ଦୁଷ୍ମନ୍ତ ନାୟକ, ରାଜକୁମାରୀ ନାୟକ, ଭିଷ୍ମଦେବ ନାୟକ ଓ ସ୍ୱର୍ଣ୍ଣ ପିଙ୍ଗଙ୍କୁ ଉପଢ଼ୌକନ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l
ଏଥିରେ ସମିତିର ଉପସଭାପତି ଦୀନବନ୍ଧୁ ଛତ୍ରିଆ, ବୋର୍ଡ ଡାଇରେକ୍ଟର ଭିକାରୀ ନାୟକ, ଅକ୍ଷୟ ନାୟକ, ଗୋପାଳ ନାୟକ, ଗୌତମ କୁମୁରା, କମଳ ଧୁରୁଆ, ରମେଶ ଚନ୍ଦ୍ର ସାହୁ, ହୃଦାନନ୍ଦ ପଟେଲଙ୍କ ସହ ଶତାଧିକ ଚାଷୀ ସଭ୍ୟ ସଭ୍ୟା ଯୋଗଦେଇଥିଲେ l
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ