
କେନ୍ଦୁଝର, ୨୬ ମାର୍ଚ୍ଚ (ହି.ସ.) - ମର୍ଯ୍ୟାଦା ପୁରୁଷୋତମ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ଶ୍ରୀ ରାମନବମୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସ୍ୱର୍ଣ୍ଣକ୍ଷେତ୍ର ଗଦଗଦିରେ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଶିଶୁ ବିଦ୍ୟା ମନ୍ଦିର ବିଦ୍ୱତ୍ ପରିଷଦର ସଭାପତି ଦିବାକର ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ରାମଚନ୍ଦ୍ରଙ୍କ ଧରାବତରଣର ଉଦ୍ଦେଶ୍ୟ ସମ୍ବନ୍ଧରେ ଉପସ୍ଥିତ ଶିଶୁ ଭାଇ ଭଉଣୀ ଓ ଗୁରୁମା ଗୁରୁଜୀଙ୍କୁ ମାର୍ଗ ଦର୍ଶନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ପୁରୁଜିତ୍ ମୁନି ଅତିଥି ମାନଙ୍କ ପରିଚୟ ପ୍ରଦାନ କରି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହାପରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ବେଶରେ ଆସିଥିବା ଶିଶୁ ମାନଙ୍କୁ ବନ୍ଦାପନା କରାଯାଇଥିଲା। ଗୁରୁମା ଝୁନୁ ମହାନ୍ତ ଶ୍ରୀରାମଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରତିଭା ଦାସ ଗୁରୁମା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ବ୍ୟକ୍ତିଗତ ଗୀତ ଗାନ କରିଥିଲେ ଗୁରୁମା ପ୍ରତିମା ମହାନ୍ତ। ଗୁରୁଜୀ ସନାତନ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA