
କେନ୍ଦ୍ରାପଡା, ୨୬ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡିଆରେ ଆୟୋଜିତ ସୁଭଦ୍ରା ଶକ୍ତି ମେଳାର ଦ୍ୱିତୀୟ ସନ୍ଧ୍ୟା ଆଜି ସଙ୍ଗୀତ ଓ ହାସ୍ୟର ରଙ୍ଗିନ ଆସରରେ ମୁଗ୍ଧମୟ ହୋଇଯାଇଥିଲା। ବିପୁଳ ସଂଖ୍ୟକ ଦର୍ଶକଙ୍କ ଉପସ୍ଥିତିରେ ସାରା ପରିବେଶ ଉତ୍ସବମୁଖର ହୋଇଥିଲା ଆଜିର କାର୍ଯ୍ୟକ୍ରମରେ ଅତିଥି ଭାବେ ମାର୍ଶାଘାଇ ପଞ୍ଚାୟତ ସମିତି ଅଧ୍ୟକ୍ଷା ମଧୁସ୍ମିତା ସାମଲ, କେନ୍ଦ୍ରାପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ରଶ୍ମିତା ସେଠୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ ଯୋଗଦେଇଥିଲେ। ଏହା ସହିତ ଲକ୍ଷପତି ଦିଦି ରେସ୍ମା ବେଗମ ଏବଂ ସମ୍ପତ ପରିଡା ତାଙ୍କର ଅଭିଜ୍ଞତା କହିଥିଲେ। ସମସ୍ତ ଅତିଥିମାନେ ମେଳାର ସଫଳ ଆୟୋଜନ ପାଇଁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମର ଉଦଘାଟନ ପରେ ଓଡିଶାର ସୁନାମଧନ୍ୟ ଗାୟିକା ଇରା ମହାନ୍ତି ତାଙ୍କର ସୁମଧୁର କଣ୍ଠରେ ଗୀତ ପରିବେଷଣ କରି ଦର୍ଶକଙ୍କୁ ମନମୁଗ୍ଧ କରିଥିଲେ। “ରାଖୀ ବାନ୍ଧିଲି ରଖିବ ମାନ” ପରି ଲୋକପ୍ରିୟ ଗୀତରୁ ଆରମ୍ଭ କରି ଅନେକ ସୁନ୍ଦର ଗୀତ ଦ୍ୱାରା ସେ ଦର୍ଶକମାନଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ। ଏହାପରେ ଓଡିଶାର ପ୍ରଖ୍ୟାତ କମେଡିୟାନ ପ୍ରଜ୍ଞା ତାଙ୍କର ରସାଳିକା କମେଡି ପ୍ରଦର୍ଶନ କରି ଦର୍ଶକମାନଙ୍କୁ ଭରପୁର ସ୍ୱାଗତ ଓ ଉତ୍ସାହମୟ ସହଭାଗିତାରେ ସଫଳ ଭାବେ ସମ୍ପନ୍ନ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ରବି