
ଝାରସୁଗୁଡ଼ା, ୨୬ ମାର୍ଚ୍ଚ (ହି.ସ.)- ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ, ଝାରସୁଗୁଡ଼ା ଦ୍ୱାରା ଆୟୋଜିତ ବାର୍ଷିକ ସମାରୋହ ଉତ୍କର୍ଷ–୨୦୨୬ ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟରେ ବର୍ଷବ୍ୟାପୀ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା — ସାଂସ୍କୃତିକ ସପ୍ତାହ, ନୃତ୍ୟ, ଗୀତ, ବକୃତା, ବୁଦ୍ଧିମତ୍ତା ପରୀକ୍ଷା, ନୂତନ ଅନ୍ୱେଷଣ, କବିତା ଆବୃତ୍ତି, ପ୍ରବନ୍ଧ ଇତ୍ୟାଦିରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ନିଜ ଦକ୍ଷତାକୁ ଉନ୍ନତ କରିବା ସହିତ କଠୋର ପରିଶ୍ରମ ଓ ଅଦମ୍ୟ ଚେଷ୍ଟା ମାଧ୍ୟମରେ ଜନ୍ମଭୂମିର ସେବାରେ ନିୟୋଜିତ ହେବାକୁ ପ୍ରେରିତ କରିଥିଲେ।
ଅନ୍ୟତମ ଅତିଥି ଭାବେ ଝାରସୁଗୁଡ଼ା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ କୃଷ୍ଣକେଶୀ ବଳିଆରସିଂ ଯୋଗଦେଇ କହିଥିଲେ ଯେ, ଉତ୍କୃଷ୍ଟତା ପ୍ରାପ୍ତି ପାଇଁ ପରିଶ୍ରମର କୌଣସି ବିକଳ୍ପ ନାହିଁ। ଦୃଢ଼ ଇଚ୍ଛାଶକ୍ତି ସହିତ ସତ୍ୟ ଓ ଅହିଂସାର ମୂଲ୍ୟବୋଧକୁ ଜୀବନରେ ଅନୁସରଣ କଲେ ବ୍ୟକ୍ତି, ସମାଜ ଓ ଦେଶର ସମଗ୍ର ଉନ୍ନତି ସମ୍ଭବ। ମହାବିଦ୍ୟାଳୟର ସାଂସ୍କୃତିକ ମୁଖ୍ୟ ପ୍ରାଧ୍ୟାପିକା ପୂର୍ଣ୍ଣମାମୟୀ ଦାଶଙ୍କ ନିର୍ଦ୍ଦେଶନାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅଧ୍ୟାପିକା ଡ. ବିଶାଖା ସିଂହାଣୀଆଁ ଓ ସ୍ୱାଗତିକା ବାରିକ କାର୍ଯ୍ୟକ୍ରମର ସଂଯୋଜନା କରିଥିବାବେଳେ ପୁରସ୍କାର ବିତରଣ ଉତ୍ସବକୁ ଅଧ୍ୟାପକ ରକି ବିଶ୍ୱାଳ, ଡ. ସୁଚରିତା ଦାଶ ଓ ଡ. ଶୁଭଲକ୍ଷ୍ମୀ ବାରିକ ସୁଚାରୁ ଭାବେ ପରିଚାଳନା କରିଥିଲେ।
କାର୍ଯ୍ୟକ୍ରମ ଆରମ୍ଭରେ ପ୍ରାଧ୍ୟାପକ ବ୍ରଜେଶ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରାଧ୍ୟାପିକା ସ୍ୱର୍ଣ୍ଣମୟୀ ପୁରୋହିତ ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଶେଷରେ ଅଧ୍ୟାପକ ହିମାଂଶୁ ଶେଖର ମହାକୁର ଧନ୍ୟବାଦ ଅର୍ପଣ କରି ସଭାର ସମାପ୍ତି ଘୋଷଣା କରିଥିଲେ। ସମଗ୍ର କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କ ଉତ୍ସାହ ଓ ସକ୍ରିୟ ଅଂଶଗ୍ରହଣରେ ଅତ୍ୟନ୍ତ ସଫଳ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ