
ଝାରସୁଗୁଡା, ୨୬ ମାର୍ଚ୍ଚ (ହି.ସ.)- ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକ ଅନ୍ତର୍ଗତ ସୋଡ଼ାମାଲ ମୌଜାକୁ ବିଭକ୍ତ କରି ଭୀମଯୋର, ଆମ୍ଭଝରନ ଓ ରେଙ୍ଗାଲପାଳିକୁ ସ୍ୱତନ୍ତ୍ର ରାଜସ୍ୱ ଗ୍ରାମର ମାନ୍ୟତା ଦେବା ପ୍ରକ୍ରିୟା ସମ୍ପୂର୍ଣ କରିବା ବଦଳରେ କୋଲାବିରା ତହସିଲଦାରଙ୍କ ପକ୍ଷରୁ ଗୋଚର ଜମିର କିସମ ପରିବର୍ତ୍ତନ ପାଇଁ ଚାଲିଥିବା ପ୍ରକ୍ରିୟାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି | ଜମି କିସମ ପରିବର୍ତନରେ କୋଲାବିରା ତହସିଲଦାରଙ୍କ ନିଷ୍ପତ୍ତିକୁ ବିରୋଧ କରି ସୋଡ଼ାମାଳ ସମନ୍ବିତ ଆଦିବାସୀ ସମାଜ ବୁଧବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି | ସୋଡ଼ାମାଳ ସମନ୍ବିତ ଆଦିବାସୀ ସମାଜଙ୍କ ଅଭିଯୋଗ ଅନୁଯାୟୀ ସୋଡ଼ାମାଲ ମୌଜାର ସାତଟି ୱାର୍ଡ ମଧ୍ୟରେ ଥିବା ଭୀମଯୋର, ଆମ୍ଭଝରନ ଓ ରେଙ୍ଗାଲପାଳି ଗ୍ରାମଗୁଡ଼ିକ ରାଜସ୍ୱ ଗ୍ରାମ ପାଇଁ ଆବଶ୍ୟକ ସମସ୍ତ ସରକାରୀ ମାନଦଣ୍ଡ ପୂରଣ କରୁଛନ୍ତି। ମାତ୍ର ଦୀର୍ଘ ବର୍ଷର ଦାବି ସତ୍ତ୍ୱେ ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କରୁନାହିଁ।
କୋଲାବିରା ତହସିଲଦାରଙ୍କ କୋର୍ଟରେ ଚାଲିଥିବା ଡି ଆର କେସ୍ ନଂ ୪୦/୨୦୨୫ ମାଧ୍ୟମରେ ସ୍ଥାନୀୟ ଗୋଚର ଜମିର କିସମ ପରିବର୍ତ୍ତନ ପାଇଁ ଉଦ୍ୟମ କରାଯାଉଛି। ଏହାଦ୍ୱାରା ଆଦିବାସୀ ବହୁଳ ଏହି ଅଞ୍ଚଳର ଲୋକଙ୍କ ସାମାଜିକ ଓ ଆର୍ଥିକ ସ୍ୱାର୍ଥ ବାଧାପ୍ରାପ୍ତ ହେବ ବୋଲି ଆଦିବାସୀ ସମାଜ ଅଭିଯୋଗ କରିଛନ୍ତି। ପେସା ଆଇନ ଅନୁଯାୟୀ ଆଦିବାସୀ ଅଞ୍ଚଳରେ ଯେକୌଣସି ନିଷ୍ପତ୍ତି ପୂର୍ବରୁ ଗ୍ରାମସଭା ବା ପଲ୍ଲୀସଭାର ସମ୍ମତି ଆବଶ୍ୟକ। ମାତ୍ର ଏଠାରେ ସ୍ଥାନୀୟ ଲୋକଙ୍କ ସହ କୌଣସି ଆଲୋଚନା ନକରି ପ୍ରଶାସନ ନିଜ ଆଡ଼ୁ ନିଷ୍ପତ୍ତି ନେଉଥିବା ଅଭିଯୋଗ ହୋଇଛି। ଏହା ସହିତ ଅଞ୍ଚଳର ବହୁ ପୁରାତନ ଅଧିବାସୀ ଏହି ଜମି ଉପରେ ସିଲିଂ ଓ ଲିଜ୍ ସୂତ୍ରରେ ଦଖଲ କରି ଚାଷକାର୍ଯ୍ୟ କରି ନିଜର ଗୁଜରାଣ ମେଣ୍ଟାଉଛନ୍ତି। ଏହି ଜମିରେ କାଜୁ ବଗିଚା କିମ୍ବା ଅନ୍ୟାନ୍ୟ ପ୍ରକଳ୍ପ ନାମରେ କିସମ ପରିବର୍ତ୍ତନ କରାଗଲେ ଶତାଧିକ ପରିବାର ନିଜ ଜୀବିକା ହରାଇବେ | ତେଣୁ ଆଜି ସୋଡାମାଳ ପଞ୍ଚାୟତ ସମନ୍ୱିତ ଆଦିବାସୀ ସୋସାଇଟି ଏବଂ ସୋଡ଼ାମାଲ ଅଞ୍ଚଳବାସୀ ଏହି ଘଟଣାରେ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି l ତହସିଲଦାରଙ୍କ ପକ୍ଷରୁ ଉକ୍ତ ଲିଜ୍ ପ୍ରକ୍ରିୟାକୁ ତୁରନ୍ତ ପ୍ରତ୍ୟାହାର କରିବା ସହ ଏହାକୁ ମନେରଗା ମାଧ୍ୟମରେ ପଞ୍ଚାୟତ ବା ଗ୍ରାମବାସୀଙ୍କ ସହାୟତାରେ କାଜୁ ବଗିଚା କରିବାକୁ ଦାବି ହୋଇଛି। ଯଦି ପ୍ରଶାସନ ଏହି କିସମ ପରିବର୍ତ୍ତନ ନିଷ୍ପତ୍ତିରୁ ଓହରିବ ନାହିଁ ତେବେ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
ଏହି ଦାବିପତ୍ର ପ୍ରଦାନ ସମୟରେ ସମନ୍ୱିତ ଆଦିବାସୀ ସମାଜର ନେଇ ଉପଦେଷ୍ଟା ପ୍ରେମସାଗର ଧୂରୁଆ, ସଭାପତି ପଦ୍ମିନୀ ମୁଣ୍ଡ, ସମ୍ପାଦକ ତପନ କାଲୋ ଓ ଉପସଭାପତି ନୀଳାଦ୍ରି କାଲୋ, ପୂର୍ବତନ ସରପଞ୍ଚ ବଳରାମ ପାଣ୍ଡେଙ୍କ ସହିତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ l
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ