
ଭଦ୍ରକ, ୨୬ ମାର୍ଚ୍ଚ (ହି.ସ.) - ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ମିଳିତ ନିର୍ଦେଶନାମା ଅନୁଯାୟୀ ଜିଲ୍ଲା ସ୍ତରୀୟ ବର୍ଜ୍ୟ ପରିଚାଳନା ସଞ୍ଚାଳନ ସମିତିର ବୈଠକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ଚାରିଗୋଟି ବ୍ଲକର ମୋଟ ୨୧୮ଟି ଗ୍ରାମ ପଂଚାୟତରୁ ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଅଧୀନରେ ସଂଗ୍ରହ ହେଉଥିବା ଶୁଖିଲା ଓ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁକୁ ସିଧାସଳଖ ଭାବେ ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ନଗର ପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ସଂଗ୍ରହ କରାଯିବା ପାଇଁ ଆଲୋଚନା ହୋଇଥିଲା। ଏହା ସହ ଜିଲ୍ଲାର ଭଦ୍ରକ ପୌରପାଳିକା, ବାସୁଦେବପୁର ପୌରପାଳିକା, ଚାନ୍ଦବାଲି ଓ ଧାମନଗର ବିଜ୍ଞାପିତ ଅଂଚଳରେ ନିର୍ମିତ ପଦାର୍ଥ ପୁନରୁଦ୍ଧାର କେନ୍ଦ୍ର (ଏମ.ଆର.ଏଫ୍)ଗୁଡିକୁ ବ୍ୟବହାର କରି ସୁଚାରୁ ପରିଚାଳନା ପାଇଁ ରୁଟ୍ ଚାର୍ଟ ପ୍ରସ୍ତୁତି ଉପରେ ମଧ୍ୟ ଚର୍ଚ୍ଚା କରାଯାଇଥିଲା। ବୈଠକରେ ଜିଲ୍ଲାର ୧୧ଟି ପର୍ଯ୍ୟଟନ ସ୍ଥଳୀ ଏବଂ ସଂଲଗ୍ନ ମୁଖ୍ୟ ରାସ୍ତା ପାର୍ଶ୍ୱ ଗ୍ରାମ, ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର ଓ ବ୍ୟବସାୟିକ ପ୍ରତିଷ୍ଠାନମାନଙ୍କରେ ଦିନକୁ ଦିନ ସୃଷ୍ଟି ହେଉଥିବା ବର୍ଜ୍ୟବସ୍ତୁ ପରିମାଣର ସର୍ଭେ କରି ନିୟମିତ ସଂଗ୍ରହ ବ୍ୟବସ୍ଥା କରିବା ଓ ସ୍ୱଚ୍ଛତା ସୁନିଶ୍ଚିତ କରିବାକୁ ପଂଚାୟତିରାଜ, ନଗର ଉନ୍ନୟନ ଓ ପର୍ଯ୍ୟଟନ ବିଭାଗର ମିଳିତ ପ୍ରୟାସ ଉପରେ ଗୁରୁତ୍ୱ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଯୋଗେନ୍ଦ୍ର ସିଂହ, ରାଜ୍ୟସ୍ତରୀୟ ପରିମଳ ପରାମର୍ଶଦାତା ଏବଂ ୟୁନିସେଫ ରିସୋର୍ସ ପର୍ସନ ଭାବେ ଯୋଗଦେଇଥିଲେ। ଏଥିରେ ଜିଲ୍ଲା ପଂଚାୟତ ଅଧିକାରୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଶୁଭେନ୍ଦ୍ର ସାମଲ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ଧନାଇ ଚରଣ ଟୁଡୁ ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ନଗର ଉନ୍ନୟନ ସଂସ୍ଥା, ହେମନ୍ତ କୁମାର ମହାନ୍ତ ଏବଂ ସମସ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ ପୌରପାଳିକା ଓ ବିଜ୍ଞାପିତ ଅଂଚଳ ପ୍ରତିନିଧିମାନେ ଓ ଜିଲ୍ଲା ଜଳ ଓ ପରିମଳ ମିଶନର କର୍ମଚାରୀମାନେ ଉପସ୍ଥିତ ଥିଲେ। ପରିଶେଷରେ ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଆଗାମୀ ଦିନରେ କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ତ୍ୱରାନ୍ୱିତ କରିବା ନେଇ ଆଲୋକପାତ କରି ଧନ୍ୟବାଦ ଜଣାଇଥିଲେ। ସଭାରେ ପରିବେଶ-ବନ୍ଧୁ ପଦ୍ଧତିକୁ ପ୍ରୋତ୍ସାହନ ଦେଇ କପାସ ତିଆରି ବ୍ୟାନର ଓ କାଗଜର କପ୍, ପ୍ଲେଟ୍ ଓ ଗ୍ଲାସ୍ ବ୍ୟବହାର କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ