

ସମ୍ବଲପୁର,୨୬ ମାର୍ଚ୍ଚ(ହି.ସ.) – ଚଳିତ ବର୍ଷ ଜିଲ୍ଲା ସ୍ତରୀୟ ଓଡିଶା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ପରିସରରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଅଶୋକ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରିଣୀ ସଞ୍ଜୁକ୍ତା କୁଲ୍ଲୂ ଚଳିତ ବର୍ଷ ଓଡିଶା ଦିବସ ପାଳନ ସଂପର୍କରେ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ। ବୈଠକର ନିଷ୍ପତି ଅନୁସାରେ ଚଳିତ ବର୍ଷ ଜିଲ୍ଲାସ୍ତରୀୟ ଓଡିଶା ଦିବସ ସମ୍ବଲପୁର ସ୍ଥିତ ତପସ୍ୱିନୀ ସମ୍ମିଳନୀ କକ୍ଷ ଠାରେ ପାଳନ କରାଯିବ। ଏପ୍ରିଲ ୧ ତାରିଖ ପ୍ରତ୍ୟୁଷରୁ ସମ୍ବଲପୁର ସହରର ବିଭିନ୍ନ ଅଂଚଳରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରାଯିବ। ପରେ ସହରରେ ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତିରେ ମୁଖ୍ୟ ଅତିଥି ଓ ପ୍ରମୁଖ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ମାଲ୍ୟାର୍ପଣ କରାଯିବ। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଲୋକମାଳାରେ ସୁସଜ୍ଜିତ କରାଯିବ ବୋଲି ନିଷ୍ପତି ନିଆଯାଇଛି। ପୂର୍ବାହ୍ନ ୧୦ ଘଟିକା ସମୟରେ ତପସ୍ୱିନୀ ସମ୍ମିଳନୀ କକ୍ଷ ଠାରେ ସାଧାରଣ ସଭା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ, ଏଥିରେ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିପାରିବେ। ଅନୁଷ୍ଠିତ ସମସ୍ତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଉତ୍ସବର ଆୟୋଜିତ କାର୍ଯ୍ୟକ୍ରମ ଠାରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯିବ ବୋଲି ନିଷ୍ପତି ଶୁଣାଇଥିଲେ। ଏଥିସହ ସମ୍ମିଳନୀ କକ୍ଷ ସାଜସଜ୍ଜା, ଶାନ୍ତିଶ୍ରୁଙ୍ଖଳା ରକ୍ଷା, ପାନୀୟଜଳ ଯୋଗାଣ, ଅଗ୍ମିଶମ ସେବା ବ୍ୟବସ୍ଥା, ପରିଷ୍କାର ପରିଚ୍ଛନ୍ନତା, ଅସ୍ଥାୟୀ ଶିବିର, ଆମ୍ବୁଲାନ୍ସ ବ୍ୟବସ୍ଥା ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। ସୂଚନାନୁଯାୟୀ ରାଜ୍ୟ ପଂଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାୟକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ