


ସମ୍ବଲପୁର, ୨୬ ମାର୍ଚ୍ଚ (ହି.ସ.)- ସମ୍ବଲପୁର ପଡିଆବାହାଲ ଆରୋଗ୍ୟ ମନ୍ଦିରରେ ଗତ ୨ ମାସ ଧରି ଡାକ୍ତର ନାହାନ୍ତି । ଉଚ୍ଚ ଶିକ୍ଷା ପାଇଁ ଦାୟିତ୍ଵରେ ଥିବା ଡାକ୍ତର ଯିବାପରେ ଫାର୍ମାସିଷ୍ଟକୁ ନେଇ ଯେନତେନ ପ୍ରକାରେ ଚାଲିଛି ଡାକ୍ତରଖାନା। ଫଳରେ ଦିନକୁ ଦିନ ରୋଗୀ ସମସ୍ୟା ବଢ଼ିବାରେ ଲାଗିଛି । ଏହି ଡାକ୍ତରଖାନା ଉପରେ ଅଞ୍ଚଳର ପାଖାପାଖି ୧୧ଟି ପଞ୍ଚାୟତର ଲୋକଙ୍କ ସହ ଦୁର୍ଘଟଣାଜନିତ ରୋଗୀମାନେ ମଧ୍ୟ ନିର୍ଭର କରିଥାନ୍ତି। ଦୈନିକ ପ୍ରାୟ ୧୦୦ରୁ ଅଧିକ ରୋଗୀ ଏଠାକୁ ଆସିଥାନ୍ତି। ଅପରପକ୍ଷେ ଜଣେ ଏଏନଏମଙ୍କ ପ୍ରମୋସନ ପରେ ଏହି ପଦବୀରେ କେହି ନଥିବାରୁ ଗତ ୨ ବର୍ଷ ଧରି ଏଠାରେ ଡିପି ପଏଣ୍ଟ ଏକ ରକମର ବନ୍ଦ ହୋଇଯାଇଛି। ଫଳରେ ଗର୍ଭବତୀ ମହିଳାଙ୍କୁ ସମ୍ବଲପୁର ଡାକ୍ତରଖାନା କିମ୍ବା ବେସରକାରୀ ଡାକ୍ତରଖାନା ଉପରେ ଭରଷା କରି ଅର୍ଥ ଶୋଷଣର ଶିକାର ହେବାକୁ ପଡୁଛି। ଏହା ୫୩ ନମ୍ବର ଜାତୀୟ ରାଜପଥ ଉପରେ ଥିବାରୁ ବହୁ ସମୟରେ ଘଟଣା ଦୁର୍ଘଟଣା ହେତୁ ଏହି ତାକ୍ତରଖାନାର ଗୁରୁତ୍ୱ ମଧ୍ୟ ଯଥେଷ୍ଟ ରହୁଛି । ତେଣୁ ଏଠାରେ ୨୪ ଘଣ୍ଟିଆ ସେବା ପ୍ରଦାନର ଆବଶ୍ୟକତା ଅନୁଭବ କରାଯିବା ସହିତ ୨୪ ଘଣ୍ଟିଆ ଆମ୍ବୁଲାନ୍ସ ସୁବିଧା ରହିବା ପାଇଁ ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି। ଏଠାରେ ଏକ ଆମ୍ବୁଲାନ୍ସ ରହୁଥିଲା। ମାତ୍ର ବର୍ତ୍ତମାନ ନଥିବାରୁ ଭଡ଼ା ଗାଡ଼ି ଉପରେ ନିର୍ଭର କରି ବିଭିନ୍ନ ସମୟରେ ବିଳମ୍ବ ଜନିତ କାରଣରୁ ରାସ୍ତାରେ ଯିବା ସମୟରେ ରୋଗୀଙ୍କ ପ୍ରାଣ ଚାଲିଯାଉଥିବା ମଧ୍ୟ ଅନେକ ନଜିର ରହିଛି।
ବର୍ତ୍ତମାନ ଡାକ୍ତର ନଥିବାରୁ ଲୋକେ ନିରାଶ ହୋଇ ଫେରୁଥିବା ଯୋଗୁଁ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏଣୁ ଏ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇ ପଡିଆବାହାଲ ଠାରେ ଆବଶ୍ୟକୀୟ ଡାକ୍ତର ପଦବୀରେ ନିଯୁକ୍ତି ସହିତ ଅନ୍ୟାନ୍ୟ ଆନୁସାଙ୍ଗିକ ସମସ୍ୟାର ସମାଧାନ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଇଛନ୍ତି। ଆଶା ଓ ବିଶ୍ୱାସ ଏହି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ କରି ଅଞ୍ଚଳବାସୀଙ୍କ ଜନସ୍ୱାର୍ଥ ପ୍ରତି ସଦୟ ମନୋଭାବ ରଖି ଜିଲ୍ଲାପାଳ ନ୍ୟାୟ ପ୍ରଦାନ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସମସ୍ତ ବିଷୟରେ ଅବଗତ କରାଇବା ପରେ ଜିଲ୍ଲାପାଳ ଖୁବ ଶୀଘ୍ର ଡାକ୍ତର ପଦବୀ ପୂରଣ ସହିତ ଅନ୍ୟାନ୍ୟ ଦାବି ଗୁଡ଼ିକ ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।
ଅଞ୍ଚଳବାସୀଙ୍କ ଏହି ପ୍ରତିନିଧି ମଣ୍ଡଳୀରେ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ତଥା ବାହାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ମିତ୍ରଭାନୁ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର, ରାଜ୍ୟ ବିଜେପି ପ୍ରବକ୍ତା ମାନସ ରଞ୍ଜନ ବକ୍ସି, ପଡ଼ିଆବାହାଲ ମଣ୍ଡଳ ସଭାପତି ଆକାଶ ମିଶ୍ର, ଅଶୋକ ରାଏ, ପ୍ରକାଶ ବଢ଼େଇ, ପିଙ୍କୁ ସାହୁ, ଚିଙ୍କୁ ପ୍ରଧାନ, ସୁନନ୍ଦା ପ୍ରଧାନ, ଉମାକାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ