
ଧର୍ମଶାଳା,୨୬ମାର୍ଚ୍ଚ(ହି.ସ.) - ଗ୍ରାମାଚଂଳର ଜନସାଧାରଣଙ୍କ ଗମନାଗମନକୁ ଦୃଷ୍ଟିରେ ରଖି ମୁଖ୍ୟ ରାସ୍ତା ଓ ନଦୀ ବନ୍ଧ ସମ୍ପ୍ରସାରଣ କାର୍ଯ୍ୟ ଚାଲୁ ରହିଛି । ଏହି ସମ୍ପ୍ରସାରଣ କାର୍ଯ୍ୟରେ ରାସ୍ତା ମଝିରେ ଥିବା ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍ ଖୁଂଟ ବାଧକ ସାଜିଛି । ସମ୍ପ୍ରସାରଣ ସମୟରେ ବିଭାଗୀୟ ଅଧିକାରୀ ଓ ଠିକାଦାର ଏନେଇ ବିଦ୍ୟୁତ୍ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କେହି ଏହି କଥାକୁ ଗୁରୁତ୍ୱ ଦେଉ ନଥିବା ଅଭିଯୋଗ ହୋଇଛି । ସେପଟେ ମଝି ରାସ୍ତାରେ ଖୁଂଟ ଥିବାରୁ ନିକଟରେ ଦୁଇ ଦୁଇଟି ବାଇକ୍ ଦୃର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ଗୋପାଳପୁରଠାରୁ ବରୀ ଅରୁଆଳ ବ୍ରାହ୍ମଣୀ ନଦୀ ବନ୍ଧ ମୁଖ୍ୟ ରାସ୍ତା କ୍ଷେତ୍ରରେ । ଏହି ନଦୀ ବନ୍ଧ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ସରି ଯାଇଛି । ଅତଲାପୁର ପଂଚାୟତସ୍ଥ ବାଲିପାଟଣାଠାରେ ରାସ୍ତା ମଝିରେ ଉଚ୍ଚ ସମ୍ପନ୍ନ ବିଦ୍ୟୁତ ଖୁଂଟ ଓ ଟ୍ରାନ୍ସଫର୍ମର ରହିଛି । ଯାହାକି ଜନସାଧାରଣଙ୍କ ପାଇଁ ବିପଦ ଆଣିଛି । ସମ୍ପ୍ରସାରଣ ପୂର୍ବରୁ ବିଭାଗୀୟ ଅଧିକାରୀ , ଠିକାଦାରଙ୍କ ସମେତ ବିଦ୍ୟୁତ୍ ବିଭାଗ ରାସ୍ତା ଉପରେ ଥିବା ଏହି ବିପଦ ପୁର୍ଣ୍ଣ ଖୁଂଟ ଓ ଟ୍ରାନ୍ସଫର୍ମରକୁ ଅନ୍ୟତ୍ର ନ ଉଠାଇବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାତିରେ ଏହି ରାସ୍ତା ଦେଇ ଯାତାୟତ କରୁଥିବା ବାଇକ୍ ଚାଲକମାନେ ଏଠାରେ ଦୃର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଉଭୟ ବିଭାଗୀୟ ଅଧିକାରୀଙ୍କ ନିକଟରେ ସ୍ଥାନୀୟ ଲୋକେ ଖୁଂଟଗୁଡିକୁ ଉଠାଇବାକୁ ଦାବି କରାଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତୁରନ୍ତ ଖୁଂଟ ସ୍ଥନାନ୍ତରିତ କରା ନ ଗଲେ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିବାକୁ ବାଲିପାଟଣା ଅଂଚଳର ଉପଭୋକ୍ତାମାନେ ଚେତାବନୀ ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ