
ଝାରସୁଗୁଡ଼ା, ୨୭ ମାର୍ଚ୍ଚ (ହି.ସ.)- ଝାରସୁଗୁଡ଼ାରୁ କନକତୋରା ପର୍ଯ୍ୟନ୍ତ ୪୯ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ ତଥା ୪ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ପ୍ରକଳ୍ପ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଶୁକ୍ରବାର ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏହି ବୈଠକରେ ପ୍ରସ୍ତାବିତ ପ୍ରକଳ୍ପର ରୂପରେଖ ବା ଆଲାଇନମେଣ୍ଟକୁ ଚୂଡ଼ାନ୍ତ ରୂପ ଦିଆଯାଇଛି।
ଏହି ପ୍ରକଳ୍ପର ମୋଟ ଦୈର୍ଘ୍ୟ ୫୯.୭୨ କିଲୋମିଟର ରହିଛି। ବର୍ତ୍ତମାନ ଏହି ରାସ୍ତାଟି ୨ ଲେନ୍ ବିଶିଷ୍ଟ ହୋଇଥିବା ବେଳେ ବଢୁଥିବା ଯାନବାହନ ଚଳାଚଳ ଓ ପରିବହନ ସୁବିଧାକୁ ଦୃଷ୍ଟିରେ ରଖି ଏହାକୁ ୪ ଲେନ୍ ବିଶିଷ୍ଟ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବୈଠକ ପ୍ରାରମ୍ଭରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସ୍ତାବିତ ଆଲାଇନମେଣ୍ଟ ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। ସମସ୍ତ ବୈଷୟିକ ଦିଗ ଏବଂ ସ୍ଥାନୀୟ ଆବଶ୍ୟକତାକୁ ବିଚାରକୁ ନେଇ ସର୍ବସମ୍ମତି କ୍ରମେ ଏହି ରୂପରେଖକୁ ଗ୍ରହଣ କରାଯାଇଛି। ଏଥିସହ ଝାରସୁଗୁଡ଼ାରୁ କନକତୋରା ପର୍ଯ୍ୟନ୍ତ ଏନଏଚ-୪୯ର ସମ୍ପ୍ରସାରଣ ପାଇଁ ଆୟୋଜିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ପ୍ରକଳ୍ପର ପ୍ରସ୍ତାବିତ ୫୯.୭୨ କିଲୋମିଟର ପରିମିତ ସମ୍ପୂର୍ଣ୍ଣ ରାସ୍ତାରେ ସୌରଶକ୍ତି ଚାଳିତ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ କରିବା ପାଇଁ ଏନଏଚଏଆଇ ର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପରାମର୍ଶ ଦେଇଛନ୍ତି। ରାଜପଥରେ ଉନ୍ନତ ଆଲୋକୀକରଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ଏହି ସୌର ଆଲୋକ ପ୍ରକଳ୍ପର ପ୍ରସ୍ତାବକୁ ମୂଳ ପ୍ରକଳ୍ପ ରୂପରେଖରେ ସାମିଲ କରିବାକୁ କହିଛନ୍ତି।
ଏହି ସମୀକ୍ଷା ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପ୍ରତିନିଧି, ବରଗଡ଼ ସାଂସଦଙ୍କ ପ୍ରତିନିଧି ଏବଂ ଝାରସୁଗୁଡ଼ା ବିଧାୟକଙ୍କ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତାମତ ପ୍ରଦାନ କରିଥିଲେ। ଏଥିସହିତ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ, ଗେଲ୍ କର୍ତ୍ତୃପକ୍ଷ, ଏମସିଏଲ୍ କର୍ତ୍ତୃପକ୍ଷ ଏବଂ ବେଦାନ୍ତ କୁରାଲୋଇ କୋଇଲା ବ୍ଲକର ପ୍ରତିନିଧିମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସମସ୍ତ ଅଂଶୀଦାରଙ୍କ ସହମତି ପରେ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ