
ବଲାଙ୍ଗିର, ୨୭ ମାର୍ଚ୍ଚ (ହି.ସ.) - ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ ସ୍ଥାନୀୟ ସାଇଟ କଲେଜ ସଦାଇପାଲି ପରିସରରେ ସଭାପତି ପ୍ରଭାକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଉପଦେଷ୍ଟା ନାରାୟଣ ପାଢୀଙ୍କ ସ୍ୱାଗତ ଭାଷଣ ପରେ ସଭାପତିଙ୍କ ଦ୍ୱାରା ସଭା କାର୍ଯ୍ୟ ପରିଚାଳନା କରାଯାଇଥିଲା । ମଂଚର ସଂପାଦକ କପିଳେଶ୍ୱର ଖମାରୀ ସଂପାଦକୀୟ ଅଭିଭାଷଣ ଦେବା ସହ ପୂର୍ବରୁ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ତଥା ଆଗାମୀ କାର୍ଯ୍ୟପନ୍ଥା ସଂପର୍କରେ ଆଲୋକପାତ କରିଥିଲେ ଏବଂ ସଭା କାର୍ଯ୍ୟର ଏଜେଣ୍ଡା ସମସ୍ତ ସଭ୍ୟମାନଙ୍କ ଗହଣରେ ପରିବେଷଣ କରିଥିଲେ । ପ୍ରାୟ ୨୦ଗୋଟି ଟିପ୍ପଣି ଉପରେ ଆଲୋଚନା, ପର୍ଯ୍ୟାଲୋଚନା କରାଯାଇଥିଲା । ପ୍ରଥମତଃ ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ପାଇଁ ଉଦ୍ଦିଷ୍ଟ ସଭାଗୃହ ନିର୍ମାଣ ଓ ନଳକୂପ ଖନନ ଉପରେ ଆଲୋଚନା ହୋଇଥିଲା । ଉପଦେଷ୍ଟା ଦୁର୍ଗା ପ୍ରସାଦ ହୋତା ସେହି ସଂପର୍କରେ ପୁଙ୍ଖାନୁପୁଙ୍ଖ ଭାବରେ ସଭ୍ୟମାନଙ୍କୁ ଜଣାଇବା ସହ ୭ ଡିସିମିଲ ଏରିଆରେ ଗୃହ କାର୍ଯ୍ୟ ଚାଲୁ ରହିଛି ଏବଂ ନଳକୂପ ଖନନ ହୋଇସାରିଥିବା ସୂଚାଇଥିଲେ । ଅନ୍ୟାନ୍ୟ ଆଲୋଚନନାରେ ସଭ୍ୟ ଶିବ ଶଙ୍କର ଖୁଆସ, ମନୋରଂଜନ ମିଶ୍ର, ଅଭିରାମ ପ୍ରଧାନ, କୈଳାସ ଚନ୍ଦ୍ର ମହାପାତ୍ର, ନଳିନୀକାନ୍ତ ମିଶ୍ର ଅଂଶଗ୍ରହଣ କରି ନିଜ ନିଜ ମତ ରଖିଥିଲେ । ଏକ ସ୍ମରଣିକା ଲୋକାର୍ପଣ କରିବା ନିମନ୍ତେ ପ୍ରସ୍ତାବ ଗ୍ରହଣ ସମୟରେ ଉପଦେଷ୍ଟା ପଦ୍ମଚରଣ ଆଚାର୍ଯ୍ୟ ନିଜସ୍ୱ ମତପ୍ରଦାନ କରିଥିଲେ । ସ୍ମରଣିକା ସଂପାଦନା ମଣ୍ଡଳିରେ ପଦ୍ମଚରଣ ଆଚାର୍ଯ୍ୟଙ୍କ ସହ ଅଚ୍ୟୁତାନନ୍ଦ ବହିଦାର, ମଧୁସୁଦନ ନାୟକ, ସିନୁ ସୁନ୍ଦର ପାଢି, ଗୋବିନ୍ଦ ମିଶ୍ର, ସୁନିଲ ଚନ୍ଦ୍ର ବିଶ୍ୱାଲ ଏବଂ କୃଷ୍ଣଚନ୍ଦ୍ର ନାଥଙ୍କୁ ସର୍ବ ସମ୍ମତିକ୍ରମେ ଚୟନ କରାଗଲା। ଉପ-ସଭାପତି ଅଶୋକ କୁମାର ଚାନ୍ଦ ଏବଂ ଉପ-ସଭାପତି ଇଂ. ହରେକୃଷ୍ଣ ମେହେର ନିଜ ନିଜର ଅଭିଭାଷଣ ରଖିଥିଲେ । ତତ୍ପରେ ମହିଳା ସଭ୍ୟା ସଂଗ୍ରହ ନିମନ୍ତେ ମଧ୍ୟ ପ୍ରସ୍ତାବ ଗ୍ରହଣ କରାଗଲା । ଏତଦ୍ବ୍ୟତିତ ଆମ ମଂଚର ସକ୍ରିୟ ସଭ୍ୟ ବଲାଙ୍ଗିର ନାଗରିକ କମିଟିରେ ସଭାପତି ଭାବରେ ବିଜୟ ହାସଲ କରିଥିବା ଡ. ଶ୍ରୀକର ମିଶ୍ର ଏବଂ ସଂପାଦକ ଭାବରେ ବିଜେତା ହୋଇଥିବା ମଧୁସୁଦନ ନାୟକ ଏବଂ କାର୍ଯ୍ୟକାରୀ ସଦସ୍ୟ ଭାବରେ ବିଜେତା ସତ୍ୟବାଦି ନାୟକ, ଡ. ପ୍ରମୋଦ କୁମାର ମିଶ୍ର, ସୁନିଲ ଚନ୍ଦ୍ର ବିଶ୍ୱାଲ ଓ ଗୋପବନ୍ଧୁ ପୁରୋହିତଙ୍କୁ ପୁଷ୍ପମାଲ୍ୟ ଦେଇ ସମ୍ମାନିତ କରିବା ସହ ନୂତନ ଆଜିବନ ସଭ୍ୟ ଭାବରେ ନଳିନିକାନ୍ତ ମିଶ୍ର ଓ କବିରାଜ ହୋତାଙ୍କୁ ଫୁଲତୋଡା ଦେଇ ମଂଚରେ ସ୍ୱାଗତ କରାଯାଇଥିଲା । ସମସ୍ତ ଆଲୋଚନା ପରେ କୋଷାଧ୍ୟକ୍ଷ ଚୁଡେନ୍ଦ୍ର କୁମାର ବେହେରା ମଂଚର ଆୟ ବ୍ୟୟ ତଥା ପାଣ୍ଠି ସଂଗ୍ରହ ଉପରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ । ଶେଷରେ ସହ-ସଂପାଦକ ସୁନିଲ ଚନ୍ଦ୍ର ବିଶ୍ୱାଲ ଧନ୍ୟବାଦ ଅର୍ପଣ କଲା ପରେ ସଭା କାର୍ଯ୍ୟ ସାଙ୍ଗ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ