
ଭୁବନେଶ୍ଵର, , 27 ମାର୍ଚ୍ଚ (ହି.ସ.)ଗ୍ରୀଷ୍ମ ପ୍ରବାହର ପ୍ରଭାବ ବୃଦ୍ଧି ପାଉଥିବା ବେଳେ ଚନ୍ଦକା-ଡ଼ମପଡ଼ା ହସ୍ତୀ ଅଭୟାରଣ୍ୟ ଘେର ମଧ୍ୟରେ ଥିବା ଆଦିବାସୀ ପଲ୍ଲୀ କନ୍ଦଳେଇ ଠାରେ ଏକ ଅଭିନବ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶ୍ରୀରାଧା ଫାଉଣ୍ଡେସନ୍ ପକ୍ଷରୁ ତୁଷାର୍ତ୍ତ ପକ୍ଷୀ ଓ ଜୀବଜନ୍ତୁଙ୍କ ପାଇଁ ମାଟି ପାତ୍ରରେ ଜଳର ବ୍ୟବସ୍ଥା କରାଯାଇଛି । ପରିବେଶ କର୍ମୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ । ଫାଉଣ୍ଡେସନ୍ର ଅଧ୍ୟକ୍ଷ ରଞ୍ଜନ କୁମାର ସାହୁ, ସମ୍ପାଦକ ପ୍ରସନ୍ନ କୁମାର ସାହୁ ଏବଂ କୋଷାଧ୍ୟକ୍ଷ ତୁଷାର କୁମାର ସାହୁ, ସଦସ୍ୟ ମନ୍ମଥ କୁମାର ସାହୁ, ଚକ୍ରଧର ସ୍ୱାଇଁ, ନିତ୍ୟାନନ୍ଦ ସାହୁ ଓ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଚିତ୍ର କୁମାର ମାଝୀଙ୍କ ଉପସ୍ଥିତିରେ ଏହି ଜଳ ସେବାର ଶୁଭାରମ୍ଭ କରାଯାଇଛି । ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଜଙ୍ଗଲରେ ଜଳାଭାବ ଦେଖାଯାଉଥିବାରୁ ଏହି ପଦକ୍ଷେପ ଜୀବଜନ୍ତୁଙ୍କ ପ୍ରାଣ ରକ୍ଷାରେ ସହାୟକ ହେବ । ଫାଉଣ୍ଡେସନ୍ର ଏହି ପ୍ରୟାସକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ପରିବେଶ ପ୍ରେମୀମାନେ ଭୂୟସୀ ପ୍ରଶଂସା କରିଛନ୍ତି । ଆଗାମୀ ଦିନରେ ଅଭୟାରଣ୍ୟର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏହି ସେବା ଜାରି ରହିବ ବୋଲି ସଦସ୍ୟମାନଙ୍କ ପକ୍ଷରୁ ସୂଚନା ମିଳିଛି । ପରିବେଶ ସୁରକ୍ଷା ଓ ପ୍ରାଣୀ ସମ୍ପଦର ସୁରକ୍ଷା ପାଇଁ ଏଭଳି କାର୍ଯ୍ୟକ୍ରମ ଏକ ଦୃଷ୍ଟାନ୍ତ ସୃଷ୍ଟି କରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ