


ସମ୍ବଲପୁର,୨୭, ମାର୍ଚ୍ଚ (ହି.ସ.) - ଚୈତ୍ରନବମୀ ଠାରୁ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଳକ ଅଧିନସ୍ଥ କବରାପାଲି ଠାରେ ଶ୍ରୀରାମନବମୀ ଉତ୍ସବ ମହା ସମାରୋହର ଆରମ୍ଭ ହୋଇଛି । ୧୯୪୮ ମସିହାରୁ କବରାପାଲି ଠାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ହେବା ଦିନଠାରୁ ଦୀର୍ଘ ୭୮ ବର୍ଷ ହେବ ରାମନବମୀ ଉତ୍ସବ ପାରମ୍ପାରିକ ରୀତୀନୀତିରେ ଆୟୋଜନ କରାଯାଇ ଆସୁଛି । ରାମନବମୀ ସକାଳେ ଗାଁର ମହିଳା ମାନେ ଶୋଭାଯାତ୍ରାରେ ସାମିଲ ହୋଇ ପୋଖରୀରୁ ଜଳ ଆଣିବା ପରେ ମଣ୍ଡପରେ କଲସ ସ୍ଥାପନ କରାଯାଇଥିଲା । ଏହାପରେ ପ୍ରଭୁୁ ଶ୍ରୀରାମଚନ୍ଦ୍ର, ମାତା ସୀତା ଏବଂ ଲକ୍ଷ୍ମଣଙ୍କ ପ୍ରତିମାକୁ ରାମ ମନ୍ଦିରରୁ ମଣ୍ଡପକୁ ଅଣାଯାଇ ସେଠାରେ ସ୍ଥାପନ କରାଯାଇଥିଲା । ରବିନ୍ଦ୍ର ବଢାଇ ଏବଂ ସୁବାସୀନୀ ବଢାଇ ଯଜ୍ଞରେ କର୍ତା ଭାବରେ ଦାୟିତ୍ୱ ସମ୍ପାଦନ କରିଥିଲେ । ପୁରୋହିତ ଉମେଶ ଦାଶ, ସନ୍ତୋଷ ମିଶ୍ର, ଅଶ୍ୱିନୀ ବିଶ୍ୱାଳ, ସୁନିଲ ବିଶ୍ୱାଳ ପୂଜକ ଭାବେ କାର୍ଯ୍ୟ ତୁଳାଇଥିଲେ । ଦୀର୍ଘ ଏଗାର ଦିନ ଧରି ମହାପ୍ରଭୁ ମନ୍ଦିର ବାହାର ମଣ୍ଡପରେ ରହି ଭକ୍ତ ମାନଙ୍କୁ ଦର୍ଶନ ଦେବାର ପରମ୍ପରା ଗାଁରେ ରହିଆସିଛି । ଏହି ସମୟରେ ମଣ୍ଡପରେ ପ୍ରତିଦିନ ରାମାୟଣ ପାଠ ସହିତ ସନ୍ଧ୍ୟାରେ ରାମଲୀଳା ନାଟକ ଆୟୋଜନ କରାଯାଇଥାଏ । ଆସନ୍ତା ୫ ତାରିଖରେ ମଣ୍ଡପରୁ ମନ୍ଦିରକୁ ପ୍ରତ୍ୟାବର୍ତନ କରିବେ । ଏଗାର ଦିନ ଧରି କବରାପାଲି ଗ୍ରାମରେ ଆଧ୍ୟାତ୍ମିକ ପରିବେଷ ସୃଷ୍ଟି ହୋଇଥାଏ । ଦିନସାରା ମଣ୍ଡପରେ ରାମାୟଣ ପାଠ ଅନୁଷ୍ଠିତ ହୋଇଥାଏ । ପଣ୍ଡିତ ଅଶ୍ୱିନୀ ବିଶ୍ୱାଳ ପୁରାଣ ପାଠର ନେତୃତ୍ୱ ନେଉଥିବା ବେଳେ ସନ୍ତୋଷ ମିଶ୍ର ପୂଜା କାର୍ଯ୍ରକ୍ରମରେ ପୌରହିତ୍ୟ କରୁଛନ୍ତି । ପ୍ରତିଦିନ ସନ୍ଧ୍ୟାରେ ମହାଆଲତି ଅନୁଷ୍ଠିତ ହୋଇଥାଏ । ଶେଷ ଦିନରେ ଯଜ୍ଞକାର୍ଯ୍ୟ ଅନୁଷ୍ଠିତ ହୋଇଥାଏ । ଏହି ସମୟରେ ଦୀର୍ଘ ଏଗାର ଦିନ ଧରି ଗାଁରେ ଆମିଷ ଭକ୍ଷଣ ସହିତ ନିଶା ଦ୍ରବ୍ୟ ସେବନ ବନ୍ଦ ରହିଥାଏ। ୧୧ ଦିନ ଧରି ଗ୍ରାମବାସୀ କଡାକଡି ଭାବେ ଏଭଳି ନିତିନିୟମ ପାଳନ କରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟୀ କରିଥାନ୍ତି । କବରାପାଳିରେ ରାମନବମୀ ଅବସରରେ ରାମଲୀଲା ନାଟକ ବେଶ ଆକର୍ଷଣ ସୃଷ୍ଟି କରିଥାଏ । ରାତିରେ ରାମଲୀଲା ନାଟକ ଆୟୋଜନ ପାଇଁ ପରଦା ପୂଜା ଅନୁଷ୍ଠିତ ହୋଇଥିଲା । ଏଗାର ଦିନ ଧରି କାର୍ଯ୍ୟକ୍ରମକୁ ଗାଁରୁ ଯୁବକ ମାନେ ବେଶ ଉତ୍ସାହର ସହ ଆୟୋଜନ କରିଥାନ୍ତି । ରାମନବମୀ କମିଟିର ସଭାପତି ମହିମା ପ୍ରସାଦ ବଢାଇ, ଖୀରୋଦ ସାହୁ, ଶରତ ସାହୁ, ଅଶ୍ୱ୍ୱିନୀ ବଢାଇ, ମନୋଜ ବଢାଇ, ହେମନ୍ତ ସାହୁ, ସୁଦିପ୍ତ ସାହୁ, ମନୋଜ ବଢାଇ, ଦିଲିପ ବଢାଇ,ଅମରେଶ ସାହୁ, ଗୋବନ୍ଦ ସାହୁ, ସନ୍ଦିପ ସାହୁ ପ୍ରମୁଖଙ୍କ ସହ ବହୁ କର୍ମକର୍ତା ରାମନବମୀ ଆୟୋଜନରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ