
ଭୁବନ, ୨୭ ମାର୍ଚ୍ଚ (ହି.ସ.)- ଓଡ଼ିଶା ସରକାର ଓଡ଼ିଶା ପୌର ନିୟମାବଳୀ ୧୯୫୩ କୁ ସଂଶୋଧନ କରି ନୂତନ ଓଡ଼ିଶା ପୌର ନିୟମାବଳୀ ୨୦୨୫ ଲାଗୁ କରିଛନ୍ତି । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ଏବେ କାଉନସିଲ ବା ପୌର ପରିଷଦର ବିନା ଅନୁମତିରେ ପୌର ପ୍ରଶାସନ ପାଇଁ ଆନୁଷଙ୍ଗିକ ଖର୍ଚ୍ଚ ବାବଦରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରତିଥର ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ । ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ବିଲ୍ ଓ ଦେୟ ଆଦେଶ କେବଳ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇପାରିବ । ଏହି ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଅଧିକ ହେଲେ ନିର୍ବାହୀ ଅଧିକାରୀ ଓ ପୌର ଅଧ୍ୟକ୍ଷ ମିଳିତ ଭାବେ ଏହାକୁ ଅନୁମୋଦନ କରିବେ । ନିର୍ବାହୀ ଅଧିକାରୀ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରଶାସନିକ ଅନୁମୋଦନ ଦେଇ ପାରିବେ । ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ପାଇଁ ଅଧ୍ୟକ୍ଷଙ୍କ ଅନୁମୋଦନ ଆବଶ୍ୟକ ହେବ । କିନ୍ତୁ, ଯଦି କୌଣସି ବିଲ୍ ସପ୍ତାହେରୁ ଅଧିକ ଦିନ ଅଧ୍ୟକ୍ଷଙ୍କ ନିକଟରେ ପଡ଼ି ରହେ କିମ୍ବା ଉପଯୁକ୍ତ କାରଣ ସହ ଫେରସ୍ତ ନହୁଏ ତା'ହେଲେ ନିର୍ବାହୀ ଅଧିକାରୀ ଜିଲ୍ଲାପାଳଙ୍କ ଦ୍ଵାରା ସେହି ବିଲ୍ ଅନୁମୋଦନ କରାଇ ପାରିବେ । ଏହାଦ୍ଵାରା ପୌର ସଂସ୍ଥା ଗୁଡିକରେ ଦୈନନ୍ଦିନ କାର୍ଯ୍ୟ ଓ ବିକାଶମୂଳକ କାର୍ଯ୍ୟରେ ପ୍ରଶାସନିକ ବାଧା ଦୂର ହୋଇ କାର୍ଯ୍ୟ ତ୍ୱରାନ୍ୱିତ ହେବ ବୋଲି ଯାହା କୁହାଯାଉଛି ସେଥିରେ ଆଦୌ ସତ୍ୟତା ନାହିଁ । ଏହା କେବଳ ପୌର ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କ ଆର୍ଥିକ କ୍ଷମତାକୁ ସଙ୍କୁଚିତ କରିବାକୁ ଉଦ୍ଦିଷ୍ଟ । ଏହି ନୂତନ ଆଇନ ବଳରେ ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ଅଧ୍ୟକ୍ଷ/ଅଧ୍ୟକ୍ଷା ମାନେ ଏକ ପ୍ରକାର ଦାରୁଭୂତ ମୁରାରୀ ସାଜିବେ ଓ ସମ୍ପୂର୍ଣ ନିଷ୍କ୍ରିୟ ହୋଇପଡିବେ । ସରକାର ଅଫିସରଙ୍କ ଦ୍ଵାରା ମୋଟା ଅଙ୍କର ପି ସି ଗୋଟାଇବେ ଓ ରାଜ୍ୟରେ ଅଫିସର ରାଜ୍ ବୃଦ୍ଧି ପାଇବ ବୋଲି ନଗରପାଳ ଶୁଭେନ୍ଦୁ କୁମାର ସାହୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ଏହି ନୂତନ ଆଇନ ତୁରନ୍ତ ପ୍ରତ୍ୟାହାର ନହେଲେ ସାରା ରାଜ୍ୟର ପୌର ଅଧ୍ୟକ୍ଷ, ଅଧ୍ୟକ୍ଷା ମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବେ ବୋଲି ନଗରପାଳ ଶ୍ରୀ ସାହୁ କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ