
ନୂଆଦିଲ୍ଲୀ, 27 ମାର୍ଚ୍ଚ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଶ୍ଚିମ ଏସିଆର
ସଙ୍କଟରୁ ଉତ୍ପନ୍ନ ପରିସ୍ଥିତି ଉପରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ (ପାଞ୍ଚଟି
ନିର୍ବାଚନୀ ରାଜ୍ୟକୁ ଛାଡ଼ିକରି) ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହେବେ। ସେ
ରାଜ୍ୟମାନଙ୍କ ସହ ତାଙ୍କର ପ୍ରସ୍ତୁତି ବିଷୟରେ ଆଲୋଚନା କରିବେ, ଯାହାଦ୍ୱାରା
ଯୁଦ୍ଧର ସମ୍ଭାବ୍ୟ ପ୍ରଭାବରୁ ସାଧାରଣ ଲୋକଙ୍କୁ କିପରି ସୁରକ୍ଷିତ ରଖାଯାଇପାରିବ।
ପ୍ରଧାନମନ୍ତ୍ରୀଙ୍କ ଏହି ଆଲୋଚନା ବିଶେଷ ହେବାର କାରଣ ହେଉଛି, ଉପସାଗରୀୟ ଅଞ୍ଚଳରେ
ସଂଘର୍ଷ ଆରମ୍ଭ ହେବା ପରେ ଏହା ମୁଖ୍ୟମନ୍ତ୍ରୀମାନଙ୍କ ସହ ତାଙ୍କର ପ୍ରଥମ ବୈଠକ। କ୍ୟାବିନେଟ
ସଚିବାଳୟ ନିର୍ବାଚନ ହେଉଥିବା ରାଜ୍ୟଗୁଡ଼ିକ—ତାମିଲନାଡୁ, ପଶ୍ଚିମବଙ୍ଗ, ଆସାମ, କେରଳ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରିର ମୁଖ୍ୟ ସଚିବମାନଙ୍କ ସହ
ଭିନ୍ନ ଭିନ୍ନ ବୈଠକ କରିବ।
ଏହି ପ୍ରୟାସର ଉଦ୍ଦେଶ୍ୟ ‘ଟିମ୍ ଇଣ୍ଡିଆ’ର ଭାବନାରୁ ପ୍ରେରିତ ହୋଇ
ସରକାରୀ ପ୍ରୟାସମାନଙ୍କ ମଧ୍ୟରେ ସମନ୍ୱୟ ସୁନିଶ୍ଚିତ କରିବା। ପ୍ରଧାନମନ୍ତ୍ରୀ ମୋଦି ଇରାନ
ସଂଘର୍ଷରୁ ଉତ୍ପନ୍ନ ସଙ୍କଟ ଉପରେ ଲଗାତାର ସକ୍ରିୟ ଅଛନ୍ତି। ସୋମବାର ସେ ଲୋକସଭା ସଦସ୍ୟମାନଙ୍କୁ
ଏହି ବିଷୟରେ ନିଆଯାଉଥିବା ପଦକ୍ଷେପ ବିଷୟରେ ଜଣାଇଥିଲେ। ମଙ୍ଗଳବାର ସେ ରାଜ୍ୟସଭାକୁ ଏହା
ବିଷୟରେ ସମ୍ବୋଧନ କରିଥିଲେ। ବୁଧବାର ସର୍ବଦଳୀୟ ବୈଠକରେ ତାଙ୍କର ବରିଷ୍ଠ ମନ୍ତ୍ରୀମାନେ
ବିପକ୍ଷର ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ। ଯେହେତୁ ତେଲ ଓ ଗ୍ୟାସ ଯୋଗାଣ ସମସ୍ୟା ସମାଧାନରେ
ରାଜ୍ୟମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ, ଏହି ବିଷୟରେ ପ୍ରଧାନମନ୍ତ୍ରୀ ଏବେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା
କରିବେ।
ପ୍ରଧାନମନ୍ତ୍ରୀ ପୂର୍ବରୁ କହିଛନ୍ତି, “ପଶ୍ଚିମ ଏସିଆର
ସଙ୍କଟ କେତେଦିନ ଚାଲିବ ତାହା ଅନିଶ୍ଚିତତାର ଆବରଣରେ ଢାଙ୍କି ରହିଛି। ଏପରି ପରିସ୍ଥିତିରେ
କେନ୍ଦ୍ର ସରକାର ଯୁଦ୍ଧର ପ୍ରଭାବକୁ ସର୍ବନିମ୍ନ କରିବା ପାଇଁ ଦୃଢ଼ ପଦକ୍ଷେପ ନେଉଛି। ସମସ୍ତ
ରାଜ୍ୟ ସରକାରମାନେ କେନ୍ଦ୍ର ସରକାର ସହିତ ମିଶି ‘ଟିମ୍ ଇଣ୍ଡିଆ’ ଭାବେ କାମ କରିବା ଆବଶ୍ୟକ।”
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା