
ନୂଆଦିଲ୍ଲୀ, ୨୭ ମାର୍ଚ୍ଚ (ହି.ସ.)- ବିହାରରେ ସଂରକ୍ଷଣ କୋଟାକୁ ୬୫ ପ୍ରତିଶତରୁ ୮୫ ପ୍ରତିଶତକୁ ବୃଦ୍ଧି କରିବା, ୨୦୨୩ ଜାତି ସର୍ଭେ ଆଧାରରେ ସମ୍ବିଧାନର ୯ମ ଅନୁସୂଚୀରେ ବର୍ଦ୍ଧିତ ସଂରକ୍ଷଣ କୋଟାକୁ ଅନ୍ତର୍ଭୁକ୍ତ କରିବା ଏବଂ ଏଲପିଜି ସିଲିଣ୍ଡର ଉପଲବ୍ଧତା ଦାବି କରି ଶୁକ୍ରବାର ସଂସଦ ଭବନ ପରିସରରେ ମକର ଦ୍ୱାରରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସାଂସଦମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ସାଂସଦ ମିସା ଭାରତୀ ଏହି ପ୍ରତିବାଦର ନେତୃତ୍ୱ ନେଇଥିଲେ । ତାଙ୍କ ସହିତ ସାଂସଦ ସଞ୍ଜୟ ଯାଦବ, ଅଭୟ କୁଶୱାହା, ଅନିଲ କୁମାର ଯାଦବ ଏବଂ ଅନ୍ୟାନ୍ୟ ଆରଜେଡି ସାଂସଦ ଯୋଗ ଦେଇଥିଲେ ।
ଆରଜେଡି ସାଂସଦ ମିସା ଭାରତୀ କହିଛନ୍ତି ଯେ, ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରାଯାଇଥିବା ବେଳେ, ଏଲପିଜି, ପେଟ୍ରୋଲ ଏବଂ ଡିଜେଲ ପାଇଁ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି ।
ଆରଜେଡି ସାଂସଦ ସଞ୍ଜୟ ଯାଦବ କହିଛନ୍ତି ଯେ, ୨୦୨୨ ରେ ଏକ ସାମାଜିକ-ଅର୍ଥନୈତିକ ସର୍ଭେ କରାଯାଇଥିଲା, ଯେତେବେଳେ ବିହାରରେ ମହାମେଂଟ କ୍ଷମତାରେ ଥିଲା । ଏହା ଆଧାରରେ, ବିହାରରେ ଜାତିଭିତିକ ସଂରକ୍ଷଣ ସୀମା ୭୫ ପ୍ରତିଶତ ସ୍ଥିର କରାଯାଇଥିଲା, ଯେଉଁଥିରେ ଦଳିତ, ପଛୁଆ ବର୍ଗ ଏବଂ ଆଦିବାସୀଙ୍କ ପାଇଁ ୬୫ ପ୍ରତିଶତ ସଂରକ୍ଷଣ ଥିଲା । ବିହାର କ୍ୟାବିନେଟ ଏକ ପ୍ରସ୍ତାବ ପାସ୍ କରି ଏହାକୁ ସମ୍ବିଧାନର ୯ମ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ପଠାଇଥିଲା, କିନ୍ତୁ ପ୍ରାୟ ତିନି ବର୍ଷ ପରେ ମଧ୍ୟ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଇ ନାହାଁନ୍ତି । ସେ ଅଭିଯୋଗ କରିଥିଲେ ଯେ କେନ୍ଦ୍ର ଏବଂ ରାଜ୍ୟର ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଂଟ (ଏନଡିଏ) ସରକାରଙ୍କ ମନୋଭାବ ଦଳିତ, ଓବିସି ଏବଂ ଆଦିବାସୀ ବିରୋଧୀ ଅଟେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ