
କେନ୍ଦ୍ରାପଡା, ୨୭ ମାର୍ଚ୍ଚ (ହି.ସ.)- ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେନ୍ଦ୍ରାପଡ଼ା ପୁରୁଣା ମେଡିକାଲ ସ୍ଥିତ ସମ୍ମିଳନୀ କକ୍ଷଠାରେ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ଆଇନ ଅନୁପାଳନ ସମ୍ପର୍କିତ ଏକଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଆୟୋଜିତ ହୋଇଯାଇଛି।ଏହି ପ୍ରଶିକ୍ଷଣର ଉଦ୍ଦେଶ୍ୟ ହେଉଛି ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାକୁ ଉତ୍ପାଦ ଆଇନ କାର୍ଯ୍ୟକାରୀ ଅନୁପାଳନକୁ ସୁଦୃଢ଼ କରିବା ସହିତ ସାର୍ବଜନିକ ସ୍ଥାନରେ ତମାକୁ ବ୍ୟବହାରକୁ ନିୟନ୍ତ୍ରଣ କରିବା। ପୋଲିସ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଖାଦ୍ୟ ସୁରକ୍ଷା ଶାଖା, ଆବକାରୀ ବିଭାଗ, ଶିକ୍ଷା ବିଭାଗ ସହିତ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ଏହି ପ୍ରଶିକ୍ଷଣରେ ଅଂଶଗ୍ରହଣ କରିଥିଲେ। ପ୍ରଶିକ୍ଷଣ ବିଶେଷଜ୍ଞ ଭାବେ ଡା. ମିର୍ଜା ବାବର ବୈଗ ଏବଂ ଡାକ୍ତର ନିରାକାର କର ଯୋଗଦେଇ ଏନେଇ ରହିଥିବା ମୁଖ୍ୟ ବ୍ୟବସ୍ଥାଗୁଡ଼ିକ ବିଷୟରେ ଆଲୋଚନା କରିଥିଲେ, ଯଥା ସାର୍ବଜନିକ ସ୍ଥାନରେ ଧୂମ୍ରପାନ ନିଷେଧ, ଅପ୍ରାପ୍ତବୟସ୍କଙ୍କୁ ତମାକୁ ବିକ୍ରୟ ନିଷେଧ ଏବଂ ଶିକ୍ଷାନୁଷ୍ଠାନର ୧୦୦ ମିଟର ମଧ୍ୟରେ ତମାଖୁ ବିକ୍ରୟ ନିଷେଧ। ଏହା ସହ ଆଇନ ଅନୁପାଳନ ପ୍ରକ୍ରିୟା, ଜରିମାନା ବ୍ୟବସ୍ଥା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଥିଲେ। ଶିକ୍ଷାନୁଷ୍ଠାନ ଚାରିପାଖରେ ନିୟମିତ ଯାଞ୍ଚ, ସଂଯୁକ୍ତ ଅଭିଯାନ ଏବଂ ତମାଖୁ ବ୍ୟବହାରର କୁପ୍ରଭାବ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉପରେ ବିଶେଷ ଫୋକସ କରାଯାଇଥିଲା । ଉପସ୍ଥିତ ବରିଷ୍ଠ ଅଧିକାରୀମାନେ ଆଇନର କଡ଼ାକଡ଼ ଅନୁପାଳନ ଓ ନିୟମିତ ମନିଟରିଂ ଦ୍ୱାରା ତମାଖୁମୁକ୍ତ ପରିବେଶ ସୃଷ୍ଟି ପାଇଁ ଆହ୍ୱାନ କରିଥିଲେ। ସମସ୍ତ ବିଭାଗକୁ ସମନ୍ୱୟରେ କାମ କରିବାକୁ ଉତ୍ସାହିତ କରାଯାଇଥିଲା।
ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ମନୋରଞ୍ଜନ ରାଉତ, ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ଶ୍ୟାମ ସୁନ୍ଦର ଟୁଡୁ, ପ୍ରଶାସନିକ ଅଧିକାରୀ ଦିଲ୍ଲୀପ ନାୟକ, ଡିପିଏଚଓ ଗୌରାଙ୍ଗ ଚରଣ ଗିରି, ଆସିଷ୍ଟାଣ୍ଟ ମ୍ୟାନେଜର ଏନସିଡି ଶ୍ୟାମ ସୁନ୍ଦର ବିଶ୍ୱାଳ, ଡେପୁଟି ମ୍ୟା ମ୍ୟାନେଜର (ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ) ଡା. ସୁକାନ୍ତ କୁମାର ପ୍ରଧାନ, ଏଡିପିଏଚଓ ଡା. ଶୁଭନାରାୟଣ ନାୟକ, ପୋଲିସ ପ୍ରଶାସନ, ସମାଜସେବୀ, ଅବକାରୀ ସମେତ ଲାଇନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି