
ଭୁବନେଶ୍ୱର, 27 ମାର୍ଚ୍ଚ (ହି.ସ.)- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁକ୍ରବାର ବଦଳୁଥିବା ବିଶ୍ୱ
ପରିସ୍ଥିତି ମଧ୍ୟରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟପଦ୍ଧତିକୁ ପ୍ରଶଂସା କରି ଏହାକୁ “ସାବଧାନତା ଓ
ପ୍ରସ୍ତୁତି”ର ଉଦାହରଣ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏହା ସବୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର
ମୋଦୀଙ୍କ ନେତୃତ୍ୱରେ ସମ୍ଭବ ହୋଇପାରିଛି।
ସୋସିଆଲ ମିଡିଆରେ ସେୟାର କରିଥିବା ଏକ ପୋଷ୍ଟରେ ମୁଖ୍ୟମନ୍ତ୍ରୀ
ମାଝୀ ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କରେ ପ୍ରତି ଲିଟର ୧୦ ଟଙ୍କା କମିବା
ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ଏହି ନିଷ୍ପତ୍ତି ସାଧାରଣ ଲୋକଙ୍କୁ
ତୁରନ୍ତ ଆଶ୍ୱସ୍ତି ଦେବ ଏବଂ ବିଶ୍ୱ ଇନ୍ଧନ ଦରର ଉତ୍ଥାନ-ପତନର ପ୍ରଭାବକୁ କମାଇବାରେ ସହାୟକ
ହେବ।
ମୁଖ୍ୟମନ୍ତ୍ରୀ ଦେଶରେ ଇନ୍ଧନ ଓ ଆବଶ୍ୟକୀୟ ପଦାର୍ଥର ପର୍ଯ୍ୟାପ୍ତ
ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ନେଇଥିବା ପଦକ୍ଷେପକୁ ମଧ୍ୟ ସ୍ୱାଗତ କରିଛନ୍ତି।
ସେ କହିଛନ୍ତି ଯେ ଏହି ପ୍ରୟାସଗୁଡ଼ିକ ସରକାରଙ୍କ ଆର୍ଥିକ ସ୍ଥିରତା ଏବଂ ଜନକଲ୍ୟାଣ ପ୍ରତି
ପ୍ରତିବଦ୍ଧତାକୁ ପ୍ରକାଶ କରେ।
ସେ ନାଗରିକମାନଙ୍କୁ ଶାନ୍ତ ରହିବାକୁ, ଗୁଜବରୁ ଦୂରେଇ
ରହିବାକୁ ଏବଂ ସ୍ଥିରତା ରକ୍ଷାରେ ପ୍ରଶାସନକୁ ସହଯୋଗ କରିବାକୁ ଆହ୍ୱାନ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପରସ୍ପର ଆସ୍ଥା ଓ ସାମୂହିକ ଦାୟିତ୍ୱବୋଧ ସହ ଦେଶ ଏହି ଚ୍ୟାଲେଞ୍ଜଗୁଡ଼ିକୁ
ଦୃଢ଼ତା ଓ ଏକତା ସହ ସମ୍ମୁଖୀନ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା