
ବଲାଙ୍ଗିର, ୨୭ ମାର୍ଚ୍ଚ (ହି.ସ.)- ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳରେ ପବିତ୍ର ଶ୍ରୀରାମ ନବମୀ ପାଇଁ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ବ୍ଳକ ଅଞ୍ଚଳର ବହୁତ ସ୍ଥାନରେ ଅଷ୍ଟ ଓ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ମୁରିବାହାଲ ସଦର ମହକୁମାରେ ନବନିର୍ମିତ ଶ୍ରୀରାମ ମନ୍ଦିରର ରତ୍ନମୁଦ ପ୍ରତିଷ୍ଠା ଉପଲକ୍ଷେ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ନାମଯଜ୍ଞରେ କର୍ତ୍ତା ରୂପେ ଭବାନୀ ଶଙ୍କର ଶର୍ମା ଓ ତାଙ୍କ ଧର୍ମପତ୍ନୀ ଥିବାବେଳେ ମନ୍ଦିର ପ୍ରତିଷ୍ଠାରେ ୨୧ ଜଣ ସପତ୍ନିକ କର୍ତ୍ତା ଓ ପୂଜକ ରୂପେ କାଶୀନାଥ ଦାସ ଓ ସାଥୀ ଦାୟିତ୍ଵ ନିର୍ବାହ କରିଥିଲେ। ଏଥିପାଇଁ ନାମଯଜ୍ଞ ସହ ବହୁତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆୟୋଜକ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା କମିଟିର ସମସ୍ତ କର୍ମକର୍ତ୍ତା ମୁରିବାହାଲ ଗ୍ରାମବାସୀ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ। ଡୁଡୁକାପଡା(ଚନ୍ଦନ ପଡା) ଗ୍ରାମରେ ଅନୁଷ୍ଠିତ ଅଷ୍ଟ ପ୍ରହରୀ ନାମଯଜ୍ଞରେ କର୍ତ୍ତା ରୂପେ ଉପ ଗହିର ଓ ତାଙ୍କ ଧର୍ମପତ୍ନୀ ଇନ୍ଦ୍ରା ଗହିର, ପୂଜକ ରୂପେ ବଳଦେବ ଷଡ଼ଙ୍ଗୀ ଓ ଜପକ ରୂପେ ଅଙ୍କିତ କୁମାର ଷଡଙ୍ଗୀ ଦାୟିତ୍ଵ ନିର୍ବାହ କରିଥିଲେ। ଆୟୋଜକ କମିଟି ସଭାପତି ରମେଶ ଗହିର, ସମ୍ପାଦକ ଶେଷଦେବ ପଟେଲ ସହ ଗ୍ରାମବାସୀ ସହଯୋଗ କରିଥିଲେ। ସେହିପରି ଖରାଲି ଗ୍ରାମରେ ଅନୁଷ୍ଠିତ ଅଷ୍ଟ ପ୍ରହରୀ ନାମଯଜ୍ଞରେ କର୍ତ୍ତା ରୂପେ ଚନ୍ଦ୍ରଶେଖର ମହାକୁର ଓ ତାଙ୍କ ଧର୍ମପତ୍ନୀ ପଦ୍ମାବତୀ ମହାକୁର, ପୂଜକ ରୂପେ କୃପାସିନ୍ଧୁ ଦାସ,ଜପକ ରୂପେ ବ୍ରଜକିଶୋର ଦାସ ଦାୟିତ୍ଵ ନିର୍ବାହ କରିଥିଲେ। ଆୟୋଜକ କମିଟି ସଭାପତି କୁମାର ସେଠ, ଉପ ସଭାପତି ରୋହିତ ପ୍ରଧାନ, ସମ୍ପାଦକ ସୁଦାମ ମହାକୁର, ସହ ସମ୍ପାଦକ ବିନୋଦ ଗଡୁଆ ଓ କୋଷାଧ୍ୟକ୍ଷ ନିରଞ୍ଜନ ଗଡୁଆ, ବୈକୁଣ୍ଠ ଖର୍ସେଲ ସହ ଗ୍ରାମବାସୀ ସହଯୋଗ କରିଥିଲେ।
ସେହିପରି ମୁରିବାହାଲ ବ୍ଳକର ପଟାମରା, କୁମାରୀ, ଗୁଡିଘାଟ, ଘୁଷୁରାମୁଣ୍ଡା, ସାରେସପଡା ଆଦି ବିଭିନ୍ନ ଗ୍ରାମଗୁଡିକରେ ପବିତ୍ର ଶ୍ରୀରାମ ନବମୀ ପାଇଁ ନାମଯଜ୍ଞ ଓ ଭକ୍ତିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପବିତ୍ର ଶ୍ରୀରାମ ନବମୀ ପାଇଁ ବ୍ଳକ ଅଞ୍ଚଳ ସମ୍ପୁର୍ଣ୍ଣ ଉତ୍ସବମୁଖର ହୋଇପଡିଛି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ