
ମାଲକାନଗିରି, ୨୯ ମାର୍ଚ୍ଚ (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମହାରାଜପଲ୍ଲୀ ପଞ୍ଚାୟତରେ ମନରେଗା ଟଙ୍କା ବାଟମାରଣା ହେଉଥିବା ଅଭିଯୋଗ ହୋଇଛି।
ସୂଚନା ମୁତାବକ, ମହାରାଜପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଏମପିଭି -୮୧ ଗ୍ରାମର ତପନ ବିଶ୍ୱାସଙ୍କ ଘର ଠାରୁ ମଶାଣୀ ରାସ୍ତା କାମ ୨୦୨୪-୨୫ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ନିର୍ମିତ କୋଡ଼ ନମ୍ବର ୧୦୬୦୦୪୩୯ ରେ କିଛି ଦିନ ତଳେ ନିର୍ମାଣ କରାଯାଇଛି । ଯାହାର ଅଟକଳ ମୂଲ୍ୟ ୯ ଲକ୍ଷ ୬୨ ହଜାର । ଏହି ରାସ୍ତା ନିର୍ମାଣ ସମୟରେ ହିଟାଚି ମେସିନ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ବର୍ତ୍ତମାନ ସ୍ଥାନୀୟ ଲୋକଙ୍କ ଫଟୋ ଉଠାଇ ମନରେଗା ପୋର୍ଟାଲରେ ଅପଲୋଡ଼ କରାଯାଉଥିବା ଦେଖିବାକୁ ମିଳିଛି । ଏହାସହ ବର୍ତ୍ତମାନ ସ୍ଥାନୀୟ ଜବକାର୍ଡଧାରୀଙ୍କ ଆକାଉଣ୍ଟକୁ ଅସାଧୁ ଉପାୟରେ ଟଙ୍କା ପଠାଇ ଲକ୍ଷ ଲକ୍ଷ ଟଙ୍କା ବାଟମାରଣା କରାଯାଉଥିବା ଜଣାପଡ଼ିଛି । ଗରିବ ଓ ଅସହାୟଙ୍କୁ କାମ ଯୋଗାଇବା ପାଇଁ ଗ୍ରାମାଞ୍ଚଳରେ ମନରେଗାରେ ବିଭିନ୍ନ ପ୍ରକଳ୍ପ କରାଯାଉଥିବା ବେଳେ ତରବରିଆ ଭାବରେ ଏଭଳି ମେସିନରେ କାମ କରାଯିବା ଏବଂ କିଛି ଦିନ ପରେ ସ୍ଥାନୀୟ ଜବକାର୍ଡ ଧାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିବା ନିଶ୍ଚିନ୍ତ ଭାବରେ ବିଭାଗର ଢ଼ିଲାପଣକୁ ପଦାରେ ପକାଇଛି । ସ୍ଥାନୀୟ ଅଧିକାରୀଙ୍କ ସହ ମଧୁଚନ୍ଦ୍ରିକା ବିନା ଏପରି ଦୁର୍ନୀତିପୂର୍ଣ କାର୍ଯ୍ୟ ସମ୍ଭବ ନାହିଁ ବୋଲି ସ୍ଥାନୀୟ କିଛି ଲୋକ ନିଜ ନାମ ଗୋପନ ରଖି ଅଭିଯୋଗ କରିଛନ୍ତି । ଏନେଇ ସମ୍ପୃକ୍ତ ପଂଚାୟତର ପିଇଓ ଡି ଏନ ନାୟକଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇ ନଥିଲା ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ