
ସୁବର୍ଣ୍ଣପୁର, ୨୯ ମାର୍ଚ୍ଚ (ହି.ସ.)- ଚିତ୍ତଜ୍ଞାନୀ ଚାରି ଟେବୁଲ୍ ଟ୍ରଷ୍ଟ ପଶ୍ଚିମ ଓଡିଶା ଶାଖା ମା' ଘର ପକ୍ଷରୁ ରବିବାର ଦିନ ମେଗା ଦାତବ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା l ଏହି ଶିବିରକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଓ ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ ଉଦଘାଟନ କରିଥିଲେ l ସୁବର୍ଣ୍ଣପୁର ସିଡିଏମ ଆଣ୍ଡ ପି ଏଚ ଓ ଡାକ୍ତର ଉଷାରଣୀ ଦାସ ଅତିଥି ଭାବେ ଯୋଗଦେଇଥିଲେ l ଟ୍ରଷ୍ଟ ର ପରିଚାଳନା ଟ୍ରଷ୍ଟି ତଥା ମୁଖ୍ୟ ଆୟୋଜକ ଏସସିବି ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ଓ ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ମୂତ୍ର ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ପୃଷ୍ଠପୋଷକତାରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ କଟକ, ଭୁବନେଶ୍ୱର ଓ ବଲାଙ୍ଗୀରର ବିଭିନ୍ନ ରୋଗର ଚିକିତ୍ସକ ଓ ବିଶେଷଜ୍ଞଙ୍କ ସମେତ ୧୦ ଜଣ ଡାକ୍ତର ଯୋଗଦେଇ ବିଭିନ୍ନ ବର୍ଗର ରୋଗୀଙ୍କୁ ଆଧୁନିକ ଚିକିତ୍ସା ସେବା ଯୋଗାଇ ଦେଇଥଲେ l ରୋଗୀମାନଙ୍କ ଚକ୍ଷୁ ପରୀକ୍ଷା ସହ ବିନା ମୂଲ୍ୟରେ ଔଷଧ, ଚଷମା ପ୍ରଦାନ ସହ ଖାଦ୍ୟ ପ୍ରଦାନ କରାଯାଇଥିଲା l ଭିନ୍ନକ୍ଷମ, ବୁଢ଼ା, ବୁଢୀଙ୍କ ଠାରୁ ଆରମ୍ଭ କରି ଶିଶୁଙ୍କ ପର୍ଯ୍ୟନ୍ତ ରୋଗୀମାନେ ଆସି ଚିକିତ୍ସା କରାଇଥିଲେ l ବିଭିନ୍ନ ବର୍ଗର ୩୨୦ ଜଣ ରୋଗୀ ଆସି ସେମାନଙ୍କ ସ୍ୱାସ୍ଥ୍ୟର ଚିକିତ୍ସା କରାଇଥିଲେ l
ସତ୍ୟଜିତ ନାୟକଙ୍କ ନେତୃତ୍ଵରେ ଟ୍ରଷ୍ଟ ର କର୍ମକର୍ତ୍ତା ଓ ସ୍ବେଛାସେବୀ ସହାୟତା କରିଥିଲେ l ଆଗାମୀ ଦିନରେ ବି ଏହିପରି ସେବା ଜାରି ରହିବ ବୋଲି ଡାକ୍ତର ହୋତା ପ୍ରକାଶ କରିଛନ୍ତି l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ