
ଭୁବନେଶ୍ୱର, 29 ମାର୍ଚ୍ଚ (ହି.ସ.)- ମନ୍ କୀ ବାତରେ ଓଡ଼ିଆ ମତ୍ସ୍ୟ ଉଦ୍ୟୋଗୀ ସୁଜାତା
ଭୂୟାଁଙ୍କୁ ପ୍ରଶଂସା କରିଥିବାରୁ ପିଏମ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ
ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ
ଶ୍ରୀ ନରେନ୍ଦ୍ର ମୋଦିଜୀ ତାଙ୍କର ‘ମନ୍ କି ବାତ୍’କାର୍ଯ୍ୟକ୍ରମରେ
ସମ୍ବଲପୁରର ସଫଳ ମହିଳା ମତ୍ସ୍ୟ ଉଦ୍ୟୋଗୀ ଶ୍ରୀମତୀ ସୁଜାତା ଭୂୟାଁଙ୍କ ସଫଳତା ସମ୍ପର୍କରେ
ଉଲ୍ଲେଖ କରିଥିବାରୁ ମୁଁ ତାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ଏହା ସମଗ୍ର ଓଡ଼ିଶାବାସୀଙ୍କ
ପାଇଁ ଏକ ଗୌରବର ବିଷୟ।
ଶ୍ରୀମତୀ ଭୂୟାଁ ‘ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା’ ର
ସଦୁପଯୋଗ କରି ହୀରାକୁଦ ଜଳଭଣ୍ଡାରରେ ‘କେଜ୍ କଲ୍ଚର’ ମାଧ୍ୟମରେ ମାଛ ଚାଷ କରି ଉଲ୍ଲେଖନୀୟ
ସଫଳତା ହାସଲ କରିଛନ୍ତି। ବାର୍ଷିକ ପ୍ରାୟ ୨୫ ରୁ ୩୦ ମେଟ୍ରିକ ଟନ୍ ମାଛ ଉତ୍ପାଦନ ସହ ୮ ରୁ ୧୦
ଲକ୍ଷ ଟଙ୍କା ଆୟ କରି ସେ ଆଜି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି।
ଜଣେ ଗୃହିଣୀରୁ ସ୍ଵାବଲମ୍ବୀ ଉଦ୍ୟୋଗୀ ପାଲଟିଥିବା
ସୁଜାତାଙ୍କ ଏହି ପ୍ରେରଣାଦାୟୀ ଯାତ୍ରା ରାଜ୍ୟର
ଅନ୍ୟ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ନିଶ୍ଚିତ ଭାବେ ଉତ୍ସାହିତ କରିବ। ତାଙ୍କର
ଏହି ନିରନ୍ତର ଉଦ୍ୟମ ଓ ସଫଳତା ପାଇଁ ତାଙ୍କୁ ଅଶେଷ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା