
ଝାରସୁଗୁଡ଼ା, ୩୧ ମାର୍ଚ୍ଚ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାରେ ଘଟିଥିବା ଏକ ଅତ୍ୟନ୍ତ ସମ୍ବେଦନଶୀଳ ନାବାଳିକା ଯୌନ ନିର୍ଯାତନା ମାମଲାରେ ପୋକ୍ସୋ କୋର୍ଟ ଏକ କଠୋର ଏବଂ ଐତିହାସିକ ରାୟ ଶୁଣାଇଛନ୍ତି। ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍-ତଥା-ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ମୁଖ୍ୟ ଅଭିଯୁକ୍ତ ସାବତ ବାପା ପଙ୍କଜ ପୋଢ଼ଙ୍କୁ ଆଜୀବନ କାରାଦଣ୍ଡ ଦେଇଥିବା ବେଳେ, ମା ଅନୁ ବାଗଙ୍କୁ ୨ ବର୍ଷର ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ଘଟଣାରୁ ପ୍ରକାଶ, ବ୍ରଜରାଜନଗର ଥାନା ଅଞ୍ଚଳରେ ଗତ ୨୭ ଜୁନ୍ ୨୦୨୫ ରଥଯାତ୍ରା ସମୟରେ, ଅଭିଯୁକ୍ତ ସାବତ ବାପା ୪ ବର୍ଷର ନାବାଳିକାକୁ ରଥଯାତ୍ରା ଦେଖାଇବା ନାମରେ ନେଇ ଯାଇ ନିର୍ମମ ଭାବରେ ଦୁଷ୍କର୍ମ କରିଥିଲେ। ପରବର୍ତ୍ତୀ ଦିନ ଶିଶୁଟି ଯନ୍ତ୍ରଣା ବିଷୟରେ ମାଙ୍କୁ କହିବା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲା। ସେଠାରେ ଡାକ୍ତର ଘଟଣାକୁ ଦୁଷ୍କର୍ମ ମାମଲା ବୋଲି ସନ୍ଦେହ କରି ପୋଲିସକୁ ସୂଚନା ଦେଇଥିଲେ। ଏହାପରେ ୩୦ ଜୁନ୍ ୨୦୨୫ରେ ବ୍ରଜରାଜନଗର ଥାନାରେ କେସ୍ ନମ୍ବର ୧୪୦/୨୦୨୫ ରୁଜୁ ହୋଇଥିଲା। ପୋଲିସ ତୁରନ୍ତ ତଦନ୍ତ କରି ବିଏନଏସ୍, ପୋକ୍ସୋ ଆକ୍ଟ ଏବଂ ଜେଜେ ଆକ୍ଟର ବିଭିନ୍ନ ଧାରାରେ ଅଭିଯୋଗପତ୍ର ଦାଖଲ କରିଥିଲେ।
ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି କୋର୍ଟ ପଙ୍କଜ ପୋଢ଼ଙ୍କୁ ବିଏନଏସ୍ ଧାରା ୬୫(୨), ୬୪(୨)(ଏଫ), ୧୧୫(୨) ଓ ପୋକ୍ସୋ ଆକ୍ଟ ଧାରା ୬(୧) ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ ହୋଇଛି। ଜରିମାନା ଅନାଦେୟ ଅତିରିକ୍ତ ୧ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ଘଟଣା ବିଷୟରେ ଜାଣିଥିଲେ ମଧ୍ୟ ଅଭିଯୋଗ କରିନଥିବାରୁ ନାବାଳିକାର ମା ଅନୁ ବାଗଙ୍କୁ ବିଏନଏସ୍ ଧାରା ୧୧୫(୨), ପୋକ୍ସୋ ଆକ୍ଟ ଧାରା ୨୧ ଏବଂ ଜେଜେ ଆକ୍ଟ ଧାରା ୭୫ ଅନୁଯାୟୀ ୨ ବର୍ଷର ସଶ୍ରମ କାରାଦଣ୍ଡ ଓ ଜରିମାନା ଦଣ୍ଡ ଦିଆଯାଇଛି।
ଏହି ମାମଲାର ବିଚାର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ପୂଜା ଷଡ଼ଙ୍ଗୀ କରିଥିବା ବେଳେ, ସରକାରୀ ଓକିଲ ରାଜକୁମାର ଶ୍ରୀବାସ ପୀଡିତାଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିଲେ। କୋର୍ଟ ପୀଡିତାଙ୍କୁ ଅନୁକମ୍ପାମୂଳକ ଆର୍ଥିକ ସହାୟତା ପ୍ରଦାନ ପାଇଁ ଡିଏଲଏସଏକୁ ନିର୍ଦ୍ଦେଶ ଦେଇଥିବା ସହ, ଶିଶୁଟିକୁ ଝାରସୁଗୁଡ଼ା ଶେଲ୍ଟର ହାଉସରେ ରଖାଯାଇଛି। ଘଟଣାର ଶୀଘ୍ର ତଦନ୍ତ ଓ ନ୍ୟାୟ ପ୍ରଦାନ ପାଇଁ ଝାରସୁଗୁଡ଼ା ପୋଲିସକୁ ସ୍ଥାନୀୟ ମହଲରେ ପ୍ରଶଂସା କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ