
ବଲାଙ୍ଗିର,୩୧ ମାର୍ଚ୍ଚ(ହି.ସ.) – ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ ମାର୍ଚ୍ଚ ୨୮ ଏବଂ ୨୯ ଦୁଇଦିନ ଧରି ଏକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଅଛି। ଏହି ଆଲୋଚନାଚକ୍ରର ଉଦ୍ଘାଟନୀ ଉତ୍ସବରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ତଥା ସ୍ନାତକୋତର ପରିଷଦର ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ଦାଶ ମୁଖ୍ୟ ଅତିଥି, ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଶ୍ୱବିଦ୍ୟାଳୟର କୁଳସଚିବ ହରପ୍ରସାଦ ଭୋଇ, ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଶ୍ୟାମ ଭୋଇ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଡକ୍ଟର ସୁଶାନ୍ତ କୁମାର ପଣ୍ଡା, ମୁଖ୍ୟବକ୍ତା ଭାବରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ସଂଯୁକ୍ତ ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ ଯୋଗଦାନ କରିଥିଲେ। ଏହି ଉତ୍ସବରେ ଡ଼ ପଣ୍ଡା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଓ ଶେଷରେ ଅଧ୍ୟାପକ ଡକ୍ଟର ରୋହିତ ମଲିକ ଧନ୍ୟବାଦ ଅର୍ପଣ କରିଥିଲେ।
ଉଦ୍ଘାଟନୀ ଉତ୍ସବ ପରେ ଆଲୋଚନା ଚକ୍ରର ପ୍ରଥମ ଅଧିବେଶନରେ ସମକାଳୀନ ଓଡ଼ିଆ କଥା ସାହିତ୍ୟ (୧୯୮୦-୨୦୨୦)’ ସମ୍ପର୍କରେ ଆଲୋକପାତ କରାଯାଇଥିଲା। ଏଥିରେ ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ ସଭାପତି ରୂପେ ଦାୟିତ୍ୱ ବହନ କରିବା ସହିତ ଉକ୍ତ ବିଷୟ ସମ୍ପର୍କରେ ନିଜର ବହୁମତ ପ୍ରଦାନ କରିଥିଲେ। ବିଷୟ ବିଶେଷଜ୍ଞ ଭାବରେ ପ୍ରଫେସର ଶ୍ୟାମ ଭୋଇ, ପ୍ରଫେସର କୌତୁକ ପନ୍ଦର, ଡ. ସଞ୍ଜୟ ମିଶ୍ର ଯୋଗଦାନ କରି ସମକାଳୀନ କଥା ସାହିତ୍ୟର ବିଭିନ୍ନ ଦିଗ ସମ୍ପର୍କରେ ପର୍ଯ୍ୟାଲୋଚନା କରିଥିଲେ। ଶେଷରେ ବିଶ୍ୱବିଦ୍ୟାଳୟର ଗବେଷକ ସୁରେଶ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।
ଏହାପରେ ଦ୍ୱିତୀୟ ଅଧିବେଶନ ସମକାଳୀନ ଓଡ଼ିଆ କବିତା (୧୯୮୦-୨୦୨୦)’ ଶୀର୍ଷକକୁ ନେଇ ଆଲୋକପାତ ହୋଇଥିଲା। ଉକ୍ତ ସଭାରେ ସଭାମୁଖ୍ୟ ଭାବରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, ବାରିପଦାର ପ୍ରାକ୍ତନ ପ୍ରଫେସର ଡ. ବବ୍ରୁବାହନ ମହାପାତ୍ର ଦାୟିତ୍ୱ ବହନ କରିଥିଲେ। ସଭାପତି ପ୍ରଫେସର ମହାପାତ୍ର, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗର ପ୍ରଫେସର ପ୍ରତାପ କୁମାର ଦାଶ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗର ସହଯୋଗୀ ପ୍ରଫେସର ଡ. ଗୋପୀନାଥ ବାଗ ଓଡ଼ିଆ କବିତାର ବିଭିନ୍ନ ଧାରା ସମ୍ପର୍କରେ ପ୍ରବୋଧନା ଦେଇଥିଲେ। ତତ୍ସହିତ ଅନ୍-ଲାଇନ୍ ମାଧ୍ୟମରେ ଯୋଗଦାନ କରିଥିବା ଦୁଇ ବିଶିଷ୍ଟ କବି ପ୍ରଫେସର ଶତ୍ରୁଘ୍ନ ପାଣ୍ଡବ ଓ ଡ.ଗୌତମ ଜେନା ମଧ୍ୟ ସମକାଳୀନ ଓଡ଼ିଆ କବିତାର ରୂପରେଖକୁ ନେଇ ତାଙ୍କର ମତବ୍ୟକ୍ତ କରିଥିଲେ। ଅଧିବେଶନ ଶେଷରେ ଓଡ଼ିଆ ବିଭାଗର ଅଧ୍ୟାପକ ଅବକାଶ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ। ତୃତୀୟ ଅଧିବେଶନର ଶୀର୍ଷକ ସମକାଳୀନ ଓଡ଼ିଆ ନାଟ୍ୟ ସାହିତ୍ୟ (୧୯୮୦-୨୦୨୦)’ କାର୍ଯ୍ୟକ୍ରମ ଉପଲକ୍ଷେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗର ପ୍ରାକ୍ତନ ପ୍ରଫେସର ସମର ମୁଦାଲି ସଭାମୁଖ୍ୟ ଆସନ ଅଳଙ୍କୃତ କରିଥିବା ସ୍ଥଳେ, ବିଷୟ ବିଶେଷଜ୍ଞ ଭାବେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ଗଣେଶ ରାମ ନାହାକ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ.ପରୀକ୍ଷିତ ଭୋଇ, ଅନ୍ଲାଇନ୍ ମାଧ୍ୟମରେ ଯୋଡ଼ି ହୋଇଥିବା ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ପଶ୍ଚିମବଙ୍ଗ ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଶରତ କୁମାର ଜେନା ଓ ଉକ୍ତ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ.ସୁଶାନ୍ତ କୁମାର ପଣ୍ଡା ଯୋଗଦାନ କରିଥିଲେ। ସମସ୍ତ ଅତିଥି ବୃନ୍ଦ ଆଜିର ବିଷୟ ଆଧାରିତ ବିଭିନ୍ନ ଦିଗର ଭାବଧାରକୁ ଅତି ନିଖୁଣ ଭାବରେ ଉପସ୍ଥାପନ କରିଥିଲେ। ସର୍ବଶେଷରେ ଗବେଷକ ଶୁଭ୍ରାଂଶୁ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଅଧିବେଶନରେ ଡ଼ ସୁଶାନ୍ତ କୁମାର ପଣ୍ଡା ସଂଯୋଜକ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ। ଉକ୍ତ ଆଲୋଚନାଚକ୍ରରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଅଧ୍ୟାପକ-ଅଧ୍ୟାପିକା ଗବେଷକ-ଗବେଷିକା ଏବଂ ଛାତ୍ରଛାତ୍ରୀ ଯୋଗଦେଇ ପ୍ରବନ୍ଧ ଉପସ୍ଥାପନା କରିବା ସହ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ