
ଭୁବନେଶ୍ୱର, 31 ମାର୍ଚ୍ଚ (ହି.ସ.)- ତିନି ବର୍ଷରେ ହାତୀ ଆକ୍ରମଣରେ ଗଲାଣି ୪୪୩
ଜଣଙ୍କ ଜୀବନ । ୫୧ଟି ବନଖଣ୍ଡରେ ଏହି ମୃତ୍ୟୁ ସଂଖ୍ୟା ସାମ୍ନାକୁ ଆସିଛି । ସେହିପରି ୫୫୮୭ ଟି
ଘର ଆଂଶିକ ଭାଙ୍ଗିଥିବା ବେଳେ ୧୦୫୦ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ସେହିପରି ୪୭ ହଜାର ୪୯୯.୧୨
ଏକର ଫସଲ ନଷ୍ଟ ହୋଇଛି । ସର୍ବାଧିକ ଢେଙ୍କାନାଳ ବନଖଣ୍ଡରେ ୯୧ ଜଣଙ୍କ ଜୀବନ ନେଇଛି ହାତୀ । ବାରିପଦା
ବନଖଣ୍ଡ ଅଞ୍ଚଳରେ ସର୍ବାଧିକ ୧୩୨୬ ଟି ଘର ଆଂଶିକ ନଷ୍ଟ ହୋଇଥିବା ବେଳେ କେନ୍ଦୁଝରରେ ୧୫୪ ଟି ଘର
ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ସେହିପରି ଗତ ତିନି ବର୍ଷରେ ରାଜ୍ୟରେ ୨୬୪ ଟି ହାତୀଙ୍କ ମୃତ୍ୟୁ
ଘଟିଥିବା ବେଳେ ୧୩୨ ଟି ପ୍ରାକୃତିକ କାରଣ ଦ୍ୱାରା ୧୩୨ ଅପ୍ରାକୃତିକ କାରଣରୁ ପ୍ରାଣ ହରାଇଛନ୍ତି
। ସେହିପରି ସେହି ସମୟ ମଧ୍ୟରେ ୪ ଟି ମହାବଳ ବାଘ
, ୨୫ ଟି କଲରାପତରିଆ ବାଘ,
୧୪୨୬ ଟି ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଛି । ସେଥିରୁ କେବଳ ଶିକାରୀଙ୍କ ଦ୍ୱାରା
୪୪୭ ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଛି । ସେହିପରି ହାତୀ ଓ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ଦ୍ଵାରା ୫୨୩
ଜଣଙ୍କ ଜୀବନ ଯାଇଥିବା ବେଳେ ୧୩୯୧ ଜଣ ଆହତ ହୋଇଛନ୍ତି । ବନ୍ୟଜନ୍ତୁ ଶିକାର ଅଭିଯୋଗରେ ୩୦୭୪ ଜଣ
ଶିକାରୀ ଗିରଫ ହୋଇଛନ୍ତି । ହାତୀଙ୍କ ଗୀତିବିଧି ଉପରେ ନଜର ରଖିବା ପାଇଁ ବିଭିନ୍ନ ବନ ଖଣ୍ଡରେ
୧୪୨୦ ଗୋଟି ପ୍ରାକ ସତର୍କତା ବ୍ୟବସ୍ଥା ଲାଗୁ କରାଯାଇଛି । ବିଧାନସଭାରେ ଜଙ୍ଗଲ ଓ ପରିବେଶ
ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଲିଖିତ ଉତ୍ତର ରଖିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା