ସୁବର୍ଣ୍ଣପୁରରେ ଧୁମଧାମରେ ହୋଲି ପାଳନ
ସୁବର୍ଣ୍ଣପୁର, 04 ମାର୍ଚ୍ଚ (ହି.ସ.) ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ଠାରେ ସ୍ଵଚ୍ଛ ଭାରତ ସଙ୍ଗଠନ ସୋନପୁର-ମନମୁଣ୍ଡା ପକ୍ଷରୁ ହୋଲି ଉତ୍ସବ “ଛିନାଛକା” ସଙ୍ଗୀତ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ, ସ
ସୁବର୍ଣ୍ଣପୁରରେ ଧୁମଧାମରେ ହୋଲି ପାଳନ


ସୁବର୍ଣ୍ଣପୁର, 04 ମାର୍ଚ୍ଚ (ହି.ସ.)

ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ଠାରେ ସ୍ଵଚ୍ଛ ଭାରତ ସଙ୍ଗଠନ ସୋନପୁର-ମନମୁଣ୍ଡା ପକ୍ଷରୁ ହୋଲି ଉତ୍ସବ “ଛିନାଛକା” ସଙ୍ଗୀତ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ, ସମ୍ମାନିତ ଅତିଥି ଭାବେ ଏସପି ନାରାୟଣ ନାଏକ ଓ ରାଜ୍ୟ ବୟନିକା ସଭାପତି ପ୍ରକାଶ ମେହେର ଯୋଗଦେଇ ସମସ୍ତ ସମ୍ପ୍ରଦାୟର ଲୋକଙ୍କୁ ତଥା ସହର ବାସୀଙ୍କୁ ନେଇ ଅୟୋଜନ କରାଯାଇଥିବା ଏହି ଭାଇଚାରାର ହୋଲି ପର୍ବକୁ ପ୍ରଶଂସା କରିଥିଲେ । ସଙ୍ଗଠନର ପ୍ରତିଷ୍ଠାତା ସଭ୍ୟା ପଦ୍ମାବତୀ ମେହେରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀବତ୍ସ ମଲ୍ଲିକ, ସୋନପୁର ଥାନା ଅଧିକାରୀ ଯାଦବ ବାଗଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ଵଚ୍ଛ ଭାରତ ସଙ୍ଗଠନ ସଭାପତି ସାୟଦ ଅଲିମୁଲ ଇସଲାମ, ପଟାଭାଡ଼ି ଚର୍ଚ୍ଚ ସଭାପତି ପୂର୍ଣ୍ଣଚନ୍ଦ୍ର ଲିମା ଓ ବରିଷ୍ଠ ନାଗରିକ ଜ୍ୟୋତି ରଞ୍ଜନ ପଟ୍ଟନାୟକ ପ୍ରମୁଖ ହିନ୍ଦୁ ମୁସଲିମ ଓ ପାଦ୍ରୀ ସମସ୍ତ ସମ୍ପ୍ରଦାୟର ତିନି ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଥମେ ମା’ ସୁରେଶ୍ଵରୀ, ଶ୍ରୀ ରାଧାକୃଷ୍ଣଙ୍କ ପ୍ରତିମୂର୍ତ୍ତି ଓ ସ୍ୱଚ୍ଛ ଭାରତ ସଙ୍ଗଠନର ପ୍ରତିଷ୍ଠାତା ସ୍ଵର୍ଗତ ଲକ୍ଷ୍ମୀ ନାରାୟଣ ମେହେରଙ୍କ ଫଟୋ ଚିତ୍ରରେ ଧୂପ ଦୀପ ପ୍ରଦାନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବିଶିଷ୍ଟ କଣ୍ଠଶିଳ୍ପୀ ତଥା ମ୍ୟୁଜିକ ଡାଇରେକ୍ଟର ବ୍ରହ୍ମା କୁମାର ଓ ପୁରନ୍ଦର ଠେଲା ମା’ ଙ୍କ ଭଜନ ଓ ଅନେକ ସଂଗୀତ ପରିବେଷଣ କରିଥିବାବେଳେ କଣ୍ଠଶିଳ୍ପୀ ଶାଶ୍ଵତ ତ୍ରିପାଠୀ ଓ ପଦ୍ମ ଲୋଚନ ସାହୁ, ଚୌଧୁରୀ ବିଭାର ଓ ନିଲୁ ଦୀପ ସମ୍ବଲପୁରୀ ଗୀତ ପରିବେଷଣ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ସାହୁ, ସୋନପୁର ଥାନା ପୋଲିସ ଇନ୍ସପେକ୍ଟର ଅମିତ ବେହେରା, ସାମ୍ୱାଦିକ ମନୋରଞ୍ଜନ ତ୍ରିପାଠୀ ସଙ୍ଗୀତ ପରିବେଷଣ କରି କଳା ପ୍ରେମୀ ସଂସ୍କୃତି ପ୍ରେମୀଙ୍କୁ ଖୁସି କରିଥିଲେ । ମନରଞ୍ଜନ ତ୍ରିପାଠୀ ସଭାକାର୍ଯ୍ୟ ଓ ଚୌଧୁରୀ ବିଭାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସଂଘ ଉପଦେଷ୍ଟା ପ୍ରଦୀପ ପୁରୋହିତ ଧନ୍ୟବାଦ୍ ଅର୍ପଣ କରିଥିଲେ । ସକାଳ ୭ ଟାରେ କୁଷ୍ଠାଶ୍ରମ ଠାରେ ଫଳ ବଣ୍ଟନ କରାଯାଇଥିବା ବେଳେ କାର୍ଯ୍ୟକ୍ରମରେ କୁଇଜ୍ ପ୍ରତିଯୋଗିତା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ସମସ୍ତ କଳାକାରଙ୍କୁ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସକ୍ରିୟ ସଦସ୍ୟ ପ୍ରମୋଦ କୁମାର ସାହୁ, ଇନ୍ଦୁମତି ପୁରୋହିତ, ମନୋଜ ପଣ୍ଡା, ରବୀନ୍ଦ୍ର ଜେନା, ଲଡୁ କିଶୋର ମଲ୍ଲିକ, ଜୟନ୍ତ ବେହେରା, ଜୟ ନାରାୟଣ ସାହୁ ପ୍ରମୁଖ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସହରର ସମସ୍ତ ବର୍ଗର ଲୋକେ ଏହି ଭାଇଚାରାର ପର୍ବରେ ସାମିଲ ହୋଇ ଗୀତ ନାଚର ମଜା ନେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande