
କନ୍ଧମାଳ , ୦୧ ଏପ୍ରିଲ୍ (ହି.ସ.) କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ମୁଖ୍ୟ ବଜାର ସ୍ଥିତ ଦୁଷ୍ମନ୍ତ ସାହୁ ନାମକ ବ୍ୟବସାୟୀ ଙ୍କ ବାସଭବନ ରୋଷେଇ ଘରେ ରନ୍ଧନ ଗ୍ୟାସ ଫାଟି ଯିବାରୁ ଅଳ୍ପକେ ବର୍ତିଲେ ଦୁଷ୍ମନ୍ତ ସାହୁ ଙ୍କ ପତ୍ନୀ ଓ ଦୁଇ ପୁଅ | ଘଟଣା ରୁ ପ୍ରକାଶ ଯେ ପ୍ରତିଦିନ ଭଳି ଆଜି ମଧ୍ୟ ଦୁଷ୍ମନ୍ତ ଙ୍କ ପତ୍ନୀ ନିଜ ନିତ୍ୟକର୍ମ ସାରି ରୋଷେଇ ଘରେ ଗ୍ୟାସ ମାଧ୍ୟମରେ ରୋଷେଇ କରୁଥିବା ସମୟରେ ହଠାତ ଚୁଲା ରୁ ଗ୍ୟାସ ହାଣ୍ଡିକୁ ସଂଯୋଗ କରୁଥିବା ପାଇପ ରେ ନିଆଁ ଲାଗିଯିବାରୁ ନିଆଁ କୁ ଦେଖି ଭୟଭୀତ ହୋଇ ଦୁଷ୍ମନ୍ତ ସାହୁ ଙ୍କ ସ୍ତ୍ରୀ ଚିତ୍କାର କରି ବାହାରକୁ ଦୌଡ଼ି ଆସିଥିଲେ | ଚିତ୍କାର ଶୁଣି ସାହି ପଡୋଶୀ
ଘର ଆଗରେ ପହଞ୍ଚି ସହାୟତା ପାଇଁ ଦମକଳ ବାହିନୀ କୁ ଫୋନ କରିଥିଲେ | ଖବର ପାଇବା ମାତ୍ରେ ଦମକଳ ବାହିନୀ ସାହୁଙ୍କ ଘରେ ପହଞ୍ଚିବା ପୂର୍ବରୁ ଗ୍ୟାସ ହାଣ୍ଡିଟି ପ୍ରଚଣ୍ଡ ଶବ୍ଦ ହୋଇ ଫାଟି ଯାଇଥିଲା | ଉପସ୍ଥିତ ଦମକଳ ବାହିନୀ ଅବିଳମ୍ବେ ଘରେ ପଶି ପରିବାର ଲୋକଙ୍କୁ ବାହାରକୁ ଯିବାକୁ କହି କ୍ଷତି ଗ୍ରସ୍ତ ହୋଇଥିବା ଆସବା ପତ୍ର ଉଦ୍ଧାର କରିଥିଲେ | ରୋଷଇ ଘରର ଗ୍ୟାସ ହାଣ୍ଡି ବିସ୍ପୋରଣ ଫଳରେ ଘର ର ଗୋଟିଏ କାନ୍ଥ ଭୁସୁଡି ପଡ଼ିବା ସହ ଘରର ଅନେକ ଜାଗାରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି | କିନ୍ତୁ ଗ୍ୟାସ ହାଣ୍ଡି କିଭଳି ଫାଟିଲା ଏବଂ ସେହି ଗ୍ୟାସ ହାଣ୍ଡି ର ଏକ୍ସପାଇରି ତାରିଖ ର ଅବଧି ଅଛି କି ଶେଷ ହୋଇଛି ବର୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନାହିଁ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ