ବିଏମସି ଅଞ୍ଚଳର 552 ମହିଳା ଆରୋଗ୍ୟ ସମିତିଙ୍କୁ ନେଇ ବାର୍ଷିକ ସମ୍ମିଳନୀ • ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ- ମେୟର ଓ କମିଶନର
Bhubaneswar, 01 ଏପ୍ରିଲ୍ (ହି.ସ.) ମହିଳା ଆରୋଗ୍ୟ ସମିତିର ବାର୍ଷିକ ସମ୍ମିଳନୀ ରମାଦେବୀ ମହିଳା ବିଶ୍ୱବିଦ୍ୟାଳ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମାନନୀୟା ମେୟର ଶ୍ରୀମତୀ ସୁଲୋନଚା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଏମ୍ ସି
ବିଏମସି ଅଞ୍ଚଳର 552 ମହିଳା ଆରୋଗ୍ୟ ସମିତିଙ୍କୁ ନେଇ ବାର୍ଷିକ ସମ୍ମିଳନୀ • ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ- ମେୟର ଓ କମିଶନର


Bhubaneswar, 01 ଏପ୍ରିଲ୍ (ହି.ସ.)

ମହିଳା ଆରୋଗ୍ୟ ସମିତିର ବାର୍ଷିକ ସମ୍ମିଳନୀ ରମାଦେବୀ ମହିଳା ବିଶ୍ୱବିଦ୍ୟାଳ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମାନନୀୟା ମେୟର ଶ୍ରୀମତୀ ସୁଲୋନଚା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଏମ୍ ସି କମିଶନର ଶ୍ରୀ ଚଞ୍ଚଳ ରାଣା, ଅତିରିକ୍ତ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ, ଡାକ୍ତର ନୀଳମଣି ସେନାପତି, ଏଡିୟୁପିଏଚ୍ଓ, କାର୍ଯ୍ୟକ୍ରମ ପରିଚାଳକ ସୁକାନ୍ତ ମିଶ୍ର ପ୍ରମୁଖ ମଂଚାସୀନ ଥିଲେ । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ବିଏମ୍ ସି ଅଂଚଳର ସମୁଦାୟ 552ଟି ମହିଳା ଆରୋଗ୍ୟ ସମିତି ଯୋଗଦେଇଥିଲେ । ସେମାନଙ୍କ ମଧ୍ୟରୁ ୨୨୧ ଗୋଟି ମହିଳା ଜନ ଆରୋଗ୍ୟ ସମିତିଙ୍କୁ ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କୃତ କରାଯାଇଥିଲା ।

ସରକାରଙ୍କର ସହରାଂଚଳ ଜନସ୍ୱାସ୍ଥ୍ୟ, ପରିମଳ ଓ ପୁଷ୍ଟି ସାଧନ କ୍ଷେତ୍ରରେ ନିୟମିତ ଗୋଷ୍ଠୀ ସଚେତନତା କରାଇ ଭୁବନେଶ୍ୱରର ବସ୍ତି ଅଂଚଳରେ ସ୍ୱାସ୍ଥ୍ୟଗତ ଆଚରଣରେ ପରିବର୍ତ୍ତନ ଆଣିବା ପାଇଁ ଏମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । କୌଣସି ଗୋଷ୍ଠୀ ସଂକ୍ରମଣ ଓ ବିଭିନ୍ନ ଜନସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେଲେ ଏମାନେ ଗୋଷ୍ଠୀ ସଂଚାଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାନ୍ତି । ବିଶେଷକରି ଭୁବନେଶ୍ୱରରେ ଡେଙ୍ଗୁ ସଂକ୍ରମଣ ଆଦି ବିଭିନ୍ନ ରୋଗ ସଂକ୍ରମଣ ବାବଦରେ ଲୋକମାନଙ୍କୁ ଅବଗତ କରାଇବା ତଥା ରୋଗ ହ୍ରାସ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କହିଛନ୍ତି ମଂଚାସୀନ ଅତିଥିଗଣ । ପ୍ରତି ଶହେ ପରିବାର କିମ୍ବା 5 ଶହ ଜନ ସଂଖ୍ୟାରେ ଗୋଟିଏ ମହିଳା ଆରୋଗ୍ୟ ସମିତି ଗଠନ କରାଯାଇଥାଏ । ଏହି ଜନ ଆରୋଗ୍ୟ ସମିତିରେ 10ରୁ 15 ଜଣ ସଦସ୍ୟା ରହିଛନ୍ତି । ସେମାନଙ୍କ ମଧ୍ୟରେ ଆଶାକର୍ମୀ, ଅଙ୍ଗନଓ୍ୱାର୍ଡି କର୍ମୀ, ଏଏନ୍ଏମ୍, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ପ୍ରମୁଖ ରହିଥାନ୍ତି । ଏହିମାନେ ସଂପୃକ୍ତ ଅଂଚଳରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିଥାନ୍ତି । ଗର୍ଭବତୀ ମହିଳାମାନଙ୍କୁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାରେ ସହାୟତା କରିଥାନ୍ତି ।

କାୟାକଳ୍ପ ପ୍ରତିଯୋଗିତାରେ ଜିଲ୍ଲାରେ ୧ ନମ୍ବର ସ୍ଥାନ ପାଇଥିବା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଆଇ ଆର୍ ସି ଭିଲେଜ୍ ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ବର୍ଗରେ ଜିଲ୍ଳାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସାମନ୍ତରାପୁରକୁ ମେୟର ଓ କମିଶନର ପୁରସ୍କୃତ କରିଥଲେ।

ଚଳିତ ସ୍ୱଚ୍ଛ ସର୍ବେକ୍ଷଣରେ ଭୁବନେଶ୍ୱରକୁ ସ୍ୱଚ୍ଛତା ତାଲିକାର ଶୀର୍ଷରେ ରଖିବା ପାଇଁ ସହରର ପରିମଳ ଏବଂ ଏ ସଂକ୍ରାନ୍ତୀୟ ଗୋଷ୍ଠୀ ସହଭାଗିତାକୁ ଦୃଢ କରିବାରେ ମହିଳା ଆରୋଗ୍ୟ ସମିତିର ସଦସ୍ୟାମାନେ ଆଗେଇ ଆସନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ମାନନୀୟା ମେୟର ଓ କମିଶନର ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ସହରାଂଚଳ ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ, ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଚିକିତ୍ସା ଅଧିକାରୀ, ଆଶା, ମହିଳା ସ୍ୱାସ୍ଥ୍ୟ କର୍ମୀ, ଜନ ସ୍ୱାସ୍ଥ୍ୟ ପରିଚାଳକ, ଡାଟା ଆସିଷ୍ଟାଣ୍ଟ ଆକାଉଣ୍ଟାଣ୍ଟ, ଅର୍ବାନ ଡାଟା ମ୍ୟାନେଜର, ଏମ୍ ଆର୍ ଏ ଓ ସି ପି ଏମ୍ ଙ୍କ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସିଟି ପ୍ରୋଗ୍ରାମ ମ୍ୟାନେଜର ଏଲିନା ମହାପାତ୍ର ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande