

ବଲାଙ୍ଗିର, 01 ଏପ୍ରିଲ୍ (ହି.ସ.)ଆଜି ଏପ୍ରିଲ ୧ ତାରିଖକୁ ସାରା ରାଜ୍ୟରେ ଉତ୍କଳ ଦିବସ ଭାବରେ ପାଳନ କରୁଥିବା ବେଳେ କୋସଳ ରାଜ୍ୟ ସମନ୍ୱୟ ସମିତି, ବଲାଙ୍ଗୀର ଶାଖା ତରଫରୁ ପ୍ରତିବାଦ ସ୍ୱରୂପ କଳା ଦିବସ ଭାବରେ ପାଳନ କରାଯାଇଛି । ଆଜି ଶତାଧିକ କୋସଲ ପ୍ରେମୀ ନିଜ ନିଜ ବାସଗୃହରେ କଳା ପତାକା ଉତ୍ତୋଳନ କରିବା ସହ କଳା ବ୍ୟାଚ୍ ପରିଧାନ କରିଥିଲେ । ଏହି ପରିପ୍ରେକ୍ଷୀରେ ସଂଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷାବିତ୍ ମନୋରଂଜନ ସାହୁଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ କୋସଳ ରାଜ୍ୟ ସମନ୍ୱୟ ସମିତିର ପ୍ରତିଷ୍ଠାତା ଆଇନଜୀବୀ ପ୍ରମୋଦ ମିଶ ଯୋଗ ଦେଇ ନିଜ ଉଦବୋଧନ ରେ ଭାରତ ସ୍ୱାଧୀନ ହୋଇ ମଧ୍ୟ କୋଶଳାଂଚଳ ରେ ଆଜି ମଧ୍ୟ ସାମାଜିକ, ଆର୍ଥିକ ଓ ରାଜନୈତିକସ୍ତରରେ ପରାଧୀନ ହୋଇ ରହିଛି । ଏପରି ସ୍ଥିତିରେ ସହୀଦ ଭଗତ ସିଂ, ରାଜଗୁରୁ, ସୁକଦେବ, ସୁବାଷଚନ୍ଦ୍ର ବୋଷଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀଙ୍କ ଆତ୍ମବଳି ପ୍ରତି ଅସମ୍ମାନ ହୋଇଛି ବୋଲି କହି ଆନ୍ଦୋଳନ ଆଗକୁ ଆହୁରି ତୀବ୍ରତର କରିବା ପାଇଁ ଆହ୍ୱାନ ଦେଇଥିଲେ । ଶିକ୍ଷାବିତ ଶ୍ରୀ ସାହୁ ନିଜ ବକ୍ତବ୍ୟରେ ଆଜିର ଦିବସ ଉପରେ ସୂଚନା ପ୍ରଦାନ କରି ସମ୍ବିଧାନର ଧାରା ୩ ଅନୁସାରେ ଭାରତରେ ଆଜି ପର୍ଯ୍ୟନ୍ତ ନୂଆ ୨୬ଟି ରାଜ୍ୟ ଗଠନ ହୋଇଥିବା ବେଳେ କୋଶଳ ରାଜ୍ୟ ଗଠନ ସପକ୍ଷରେ ସବୁ ଯୁକ୍ତ ଥାଇ ସୁଦ୍ଧା ସ୍ୱତନ୍ତ୍ର ରାଜ୍ୟ ଘୋଷଣା ହୋଇପାରୁ ନାହିଁ ବୋଲି କ୍ଷୋଭ ପ୍ରକାଶ କରିଥିଲେ । ଏହି ପ୍ରତିବାଦ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ନାରୀ ନେତ୍ରୀ ଲିଲି ପଟେଲ, ଶ୍ରମିକ ନେତା ରବି ମିଶ୍ର, ରଣରାଜ ସିଂହଦେଓ, ବିଭୁଦତ୍ତ ମିଶ୍ର, ଶରତଚନ୍ଦ୍ର ହୋତା, ବୀରେନ୍ଦ୍ର ବନଛୋର, ଅବସରପ୍ରାପ୍ତ ସୈନିକ ସଂଘର ସଭାପତି ପ୍ରତାପ ରଥ, ଖଗେଶ୍ୱର ପ୍ରଧାନ,କପିଳେଶ୍ୱର ଖମାରୀ, ପ୍ରସନ୍ନ ନେଗୀ, ସଂଗ୍ରାମ ବହିଦାର, ଚାଷୀ ନେତା ସୌରୀ କୁମାର ସାହୁ ପ୍ରମୁଖ ଯୋଗ ଦେଇ ସ୍ୱତନ୍ତ୍ର କୋଶଳ ପ୍ରଦେଶ ନହେବା ପର୍ଯ୍ୟନ୍ତ ଉତ୍କଳ ଦିବସ ପାଳନ ମୂଲ୍ୟହୀନ ଅଟେ ବୋଲି କହିଥିଲେ । ଶେଷରେ ଶ୍ରମିକ ନେତା ବିଭୂତି ଶଙ୍କର ବିନ୍ଧାଣି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରତିବାଦ ସଭାରେ ଶତାଧିକ କୋଶଳପ୍ରେମୀ ସାମିଲ ହୋଇ କୋଶଳ ରାଜ୍ୟ ସପକ୍ଷରେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ