ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ପ୍ରିୟ ଶିକ୍ଷକ ମହେଶ୍ୱର ହାଲିଙ୍କୁ ଅବସର କାଳୀନ ଅଶ୍ରୁଳ ସମ୍ବର୍ଦ୍ଧନା
Farewell of popular HM Maheswar Hali
ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ପ୍ରିୟ ଶିକ୍ଷକ ମହେଶ୍ୱର ହାଲିଙ୍କୁ ଅବସର କାଳୀନ ଅଶ୍ରୁଳ ସମ୍ବର୍ଦ୍ଧନା


କନ୍ଧମାଳ,୦୧ ଏପ୍ରିଲ୍(ହି.ସ.) – କନ୍ଧମାଳ ଜିଲ୍ଲାର ଗ୍ରାମାଂଚଳରେ ଥିବା ବିଦ୍ୟାଳୟଗୁଡ଼ିକରେ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି, ସେମାନଙ୍କର ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଛି। ଯେଉଥିପାଇଁ ଶିକ୍ଷା ଓ ଶିକ୍ଷକତାର ଗୌରବକୁ ଦ୍ୱିଗୁଣିତ କରୁଛି। ସେହିଭଳି ଏକ ଉଦାହରଣ ସୃଷ୍ଟି କରିଛନ୍ତି, ଫୁଲବାଣୀ ବ୍ଲକ ଅନ୍ତର୍ଗତ ସଇପଦର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହେଶ୍ୱର ହାଲି। ସେ ସଇପଦର ପ୍ରାଥମିକ ବିଦ୍ୟାଳୟରେ ଯୋଗ ଦେବା ଠାରୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ସମେତ ଗାଁର ସମସ୍ତ ଅଭିଭାବକମାନଙ୍କ ସୁବିଧା ଅସୁବିଧାକୁ ବୁଝିବା ସେମାନଙ୍କୁ ବ୍ୟକ୍ତିଗତ ଭାବରେ ଜାଣିବା ଭଳି କାର୍ଯ୍ୟ କରି ଆସିଥିଲେ। ତେଣୁ ତାଙ୍କର ଅବସର ଗ୍ରହଣ ପରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ସମାଜସେବୀମାନେ ଏକ ଭବ୍ୟ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଧନେଶ୍ୱର କହଁର ଯୋଗଦେଇ ଶ୍ରୀ ହାଲିଙ୍କୁ ସମ୍ବର୍ଦ୍ଧନା କରିବା ସହିତ ସେ ତାଙ୍କ ଚାକିରୀ ଜୀବନରେ କେବେ ଛୁଟି ନେଇନଥିବା ଏବଂ କର୍ତବ୍ୟନିଷ୍ଠତା ବାବଦରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଶ୍ୟାମବନ୍ଧୁ ମହାରଣା, ତାଙ୍କୁ ଏକାଧାରରେ ଜଣେ ମେଳାପି, ଛାତ୍ରଛାତ୍ରୀ ପ୍ରିୟ ଶିକ୍ଷକ ବୋଲି କହିଛନ୍ତି। ବରିଷ୍ଠ ସାମ୍ବାଦିକ ତଥା ବିଶିଷ୍ଠ ରକ୍ତଦତା ଶ୍ରୀ ପ୍ରଶାନ୍ତ କୁମାର ବେହେରା, ଶ୍ରୀ ହାଲିଙ୍କ ସମେତ ତାଙ୍କର ଧର୍ମପତ୍ନୀ ମଧ୍ୟ ନିୟମିତ ରକ୍ତଦତା ଅଟନ୍ତି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ, ବରିଷ୍ଠ ଆଇନଜୀବୀ ଶ୍ରୀ ସିଦ୍ଧେଶ୍ୱର ଦାସ, ଏନ୍ପିଏସ୍ ସଭାପତି ଶ୍ରୀ ସରୋଜ କୁମାର ସେଠୀ, ସମ୍ପାଦକ ଶ୍ରୀ ପ୍ରଦୀପ କୁମାର ମହାନ୍ତି, ଉପଦେଷ୍ଟା ଶ୍ରୀ ଅରୁଣ କୁମାର ପାତ୍ର, ଏୟୁପିଟିଏଫ୍ ସଭାପତି ସନ୍ତୋଷ କୁମାର ଦିଗାଲ, ବ୍ଲକ ସଭାପତି ଦିନେଶ୍ କୁମାର ବେହେରା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି, ସମ୍ପାଦକ ଅନଙ୍ଗ କୁମାର ଦେହୁରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶ୍ରୀ ହାଲିଙ୍କୁ ଗୁଣ ଗାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ସିଆର୍ସିସି, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ସମସ୍ତ ଗ୍ରାମବାସୀମାନେ ଶ୍ରୀ ହାଲିଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହିତ ପୁଷ୍ପମାଲ୍ୟ, ଉପଢ଼ୌକନ ଏବଂ ଉପହାର ପ୍ରଦାନ କରିଥିଲେ। ପୂର୍ବରୁ କୌଣସି ଶିକ୍ଷକଙ୍କୁ ଏହିଭଳି ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇ ନାହିଁ ବୋଲି ଅତିଥି ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ କହିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande