
କେନ୍ଦୁଝର, ୦୧ ଏପ୍ରିଲ୍(ହି.ସ.) – କେନ୍ଦୁଝର ଜିଲ୍ଲା ସଦର ମହକୁମା ଠାରେ ୯୧ତମ ଓଡ଼ିଶା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଓଡ଼ିଆ ଜାତିର ଅସ୍ମିତା, ସ୍ୱାଭିମାନ ଏବଂ ସଂସ୍କୃତିକୁ ବଜାୟ ରଖିବା ସହିତ ଏକ ବିକଶିତ ଓଡ଼ିଶା ଗଠନ ପାଇଁ ଶପଥ ନିଆଯାଇଛି। ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଲୋକସମ୍ପର୍କ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସକାଳେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆରମ୍ଭ ହୋଇଥିଲା। ସଂକୀର୍ତନ ମଣ୍ଡଳୀଙ୍କ ଦ୍ୱାରା ପାରମ୍ପରିକ ଲୋକକଳା ପ୍ରଦର୍ଶନ ମାଧ୍ୟମରେ ଭକ୍ତିପୂତ ପରିବେଶରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ଆରମ୍ଭ ହୋଇ ସହରରେ ଅବସ୍ଥିତ ମହାପୁରୁଷଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହି ଶୋଭାଯାତ୍ରାରେ ବିଭିନ୍ନ ଲୋକକଳାକାର, ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ସାମିଲ ହୋଇଥିଲେ। ମନ୍ତ୍ରୀ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ, ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗ ଶ୍ରୀ ଗଣେଶରାମ ସିଂଖୁଂଟିଆଙ୍କ କରକମଳରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଭବ୍ୟ ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟିତ ହୋଇଥିଲା। ଏହି ପ୍ରଦର୍ଶନୀ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଓ ଅତୀତର ଗୌରବମୟ ଇତିହାସକୁ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଥିଲା। ଏହି ଅବସରରେ ମନ୍ତ୍ରୀ ପ୍ରଦର୍ଶିତ ଚିତ୍ରଗୁଡ଼ିକୁ ବୁଲି ଦେଖିବା ସହ ଓଡ଼ିଶାର ବୀରତ୍ୱ ଏବଂ ଐତିହ୍ୟକୁ ପୁଣିଥରେ ମନେ ପକାଇଥିଲେ । ଏହାପରେ ଦରବାର ହଲ୍ଠାରେ ଏକ ସ୍ୱତନ୍ତ୍ର ସଭାର ଆୟୋଜନ କରାଯାଇଥିଲା। ଏଥିରେ ଜିଲ୍ଲାପାଳ ବିଶାଲ ସିଂହ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟଅତିଥି ଭାବେ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତନ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ମନ୍ତ୍ରୀ ଗଣେଶରାମ ସିଂଖୁଂଟିଆ ଯୋଗ ଦେଇଥିଲେ। ଓଡ଼ିଶାର ସମୃଦ୍ଧ ଇତିହାସ ଓ ସଂସ୍କୃତିକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ। ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ଅନୁଯାୟୀ ଓଡ଼ିଶାକୁ ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ଗଢ଼ିତୋଳିବା ଏବଂ ୨୦୩୬ ସୁଦ୍ଧା ଏକ ବିକଶିତ ଓଡ଼ିଶା ଗଠନ କରିବା ପାଇଁ ଆମେ ସଂକଳ୍ପବଦ୍ଧ ରହିବାକୁ ହେବ ବୋଲି ଜିଲ୍ଲାପାଳ ନିଜ ସ୍ୱାଗତ ଭାଷଣ ରେ କହିଥିଲେ। ୯୧ତମ ଓଡ଼ିଶା ଦିବସ ଅବସରରେ ମନ୍ତ୍ରୀ ଶ୍ରୀ ଖୁଂଟିଆ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶାର ଗୌରବମୟ ବିକାଶ ଗାଥା ଉପରେ ଆଲୋକପାତ କରିଛନ୍ତି। ସେ କହିଥିଲେ ଯେ, ସମଗ୍ର ଭାରତ ବର୍ଷରେ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଓଡ଼ିଶାର ବରପୁତ୍ରମାନଙ୍କୁ ସ୍ମରଣ କରି ସେ ଆହୁରି କହିଥିଲେ ଯେ, ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ସେମାନଙ୍କର ଉତ୍ସର୍ଗୀକୃତ ସେବା ଅତୁଳନୀୟ। ସମସ୍ତଙ୍କ ସହ ସମନ୍ୱୟ ରଖି ଓଡ଼ିଶାକୁ ଏକ ଶ୍ରେଷ୍ଠ ରାଜ୍ୟ ଭାବେ ଗଢ଼ିତୋଳିବା ପାଇଁ ସେ ସମସ୍ତଙ୍କୁ ଶପଥ କରିବାକୁ ଆହ୍ୱାନ ଜଣାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଅନୁଯାୟୀ କେନ୍ଦୁଝର ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ସରକାର ଅନେକ ଯୋଜନା ପ୍ରସ୍ତୁତ କରିଛନ୍ତି। ଆଗାମୀ ୧୧ ବର୍ଷ ମଧ୍ୟରେ ରାଜ୍ୟର ଜିଡିପିକୁ ୧୪ ଲକ୍ଷ କୋଟି ଟଙ୍କାରେ ପହଂଚାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବିଶେଷ କରି ପର୍ଯ୍ୟଟନ କ୍ଷେତ୍ରକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଉଛି, ଯାହା ଜିଲ୍ଲାର ଅର୍ଥନୀତିକୁ ସୁଦୃଢ଼ କରିବା ସହ ନୂତନ ରୋଜଗାରର ସୁଯୋଗ ସୃଷ୍ଟି କରିବ। ସମସ୍ତଙ୍କ ପାଇଁ ସ୍ୱଚ୍ଛ ପାନୀୟ ଜଳ, ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣିବା ପାଇଁ ସରକାର ସଂକଳ୍ପବଦ୍ଧ। ଓଡ଼ିଶାର ଆର୍ôଥକ ବିକାଶ ସହ ଯୁବକ ଯୁବତୀମାନଙ୍କ ପାଇଁ ଆତ୍ମନିଯୁକ୍ତିର ବ୍ୟାପକ ସୁଯୋଗ ସୃଷ୍ଟି କରିବାକୁ ପ୍ରଶାସନ ପ୍ରାଥମିକତା ଦେଉଛି ବୋଲି ମାନ୍ୟବର ମନ୍ତ୍ରୀ ସୂଚନା ଦେଇଥିଲେ। ଏହି ସମାରୋହରେ ପାଟଣା ବିଧାୟକ ଅଖିଳଚନ୍ଦ୍ର ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟର ବରପୁତ୍ର ମାନଙ୍କୁ ମନେ ପକାଇ ସେହିଭଳି ନିଷ୍ଠାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତଯୋଗୀତା ରେ ଅଂଶ ଗ୍ରହଣ କରି ବିଜୟୀ ହୋଇଥିବା କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ ଏଚଡି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଭା ଧନଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସାର୍ଥକ ରାୟ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ସେହିପରି ଅପରାହ୍ନରେ କେନ୍ଦୁଝର ଅଡିଟୋରିୟମରେ କବିତା ପାଠୋତ୍ସବ ଓ ସନ୍ଧ୍ୟାରେ ଜିଲ୍ଲାର ପ୍ରାଚୀନ କଳା, ସଂସ୍କୃତି ଓ ଐତିହ୍ୟକୁ ମନେ ପକାଇବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA