
କନ୍ଧମାଳ,୦୧ ଏପ୍ରିଲ୍(ହି.ସ.) – ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ରନ୍ଧନ ଗ୍ୟାସ ଥିବାନେଇ ରାଜ୍ୟ ଯୋଗାଣ ମନ୍ତ୍ରୀ ଡିଣ୍ଡିମ ପିଟୁଥିବାବେଳେ ବାସ୍ତବିକତା ଠାରୁ ସମ୍ପୂର୍ଣ୍ଣ ଅଲଗା ରହିଛି। ଗ୍ୟାସ୍ର ଯୋଗାଣ କମ୍ଥିବାର ସୁଯୋଗରେ ଗ୍ୟାସ୍ ଏଜେନ୍ସି ଓ କିଛି କଳା ବଜାରକାରୀ ଏଥିରୁ ବେଶ୍ ଫାଇଦା ଉଠାଇବାରେ ଲାଗିଛନ୍ତି। ଏପରିକି ଗୋଟିଏ ଗ୍ୟାସ୍ ସିଲିଣ୍ଡରକୁ ୩ରୁ ୫ ହଜାର ଟଙ୍କାରେ ବିକ୍ରି ହୋଇଥିବା ନେଇ ମଧ୍ୟ ଖବର ମିଳିଛି। ଏହି ଅବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଅଭିଯାନ ଜାରି କରାଯାଇଛି। ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ସୁଗୁଡା ମୁର୍ମୁଙ୍କ ନିର୍ଦ୍ଦେଶରେ ସହକାରୀ ଯୋଗାଣ ଅଧିକାରୀ ପି. ଭାର୍ଗବୀଙ୍କ ନେତୃତ୍ୱରେ ଫୁଲବାଣୀ ଯୋଗାଣ ନିରୀକ୍ଷକ ସୌମ୍ୟାଶ୍ରୀ ବିଶ୍ୱାଳ, ଫିରିଙ୍ଗିଆର ସଞ୍ଜୟ କୁମାର ଦାସ ଓ ଖଜୁରୀପଡ଼ାର ଯୋଗାଣ ନିରୀକ୍ଷକ ସୌମ୍ୟରଞ୍ଜନ ଭୋଇଙ୍କୁ ନେଇ ଏକ ଚଢ଼ାଉ ଅଭିଯାନ ଆରମ୍ଭ ହୋଇଥିଲା। ଏଥିରେ ଫୁଲବାଣୀ ତୋଟାସାହିର ଶ୍ରବଣ କୁମାର ବେହେରାଙ୍କ ଘରୁ, ୪ଟି ଏଚ୍ପି ଗ୍ୟାସ୍ ସିଲିଣ୍ଡର, ୪ଟି ଇଣ୍ଡେନ୍ ଏବଂ ୨ଟି ଭାରତ କମ୍ପାନୀର ଘରୋଇ ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଛି। ହେଲେ ଏହିସବୁ ସିଲିଣ୍ଡର ସବୁ ଖାଲିଥିବା ନେଇ ସହକାରୀ ଯୋଗାଣ ଅଧିକାରୀ କହିଛନ୍ତି। ହେଲେ ବିଭାଗ ପକ୍ଷରୁ ୭ ଏଫ୍ସି ଆଇନ୍ରେ ଏକ ମାମଲା ରୁଜୁ କରାଯାଇଥିବା ନେଇ ସୂଚନା ମିଳିଛି। ହେଲେ ଏହି ଚଢ଼ାଉ କେତେ ସୁଫଳ ଦେବ ତାହା ସମୟ କହିବ।
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ