
ମାଲକାନଗିରି,୧ ଏପ୍ରିଲ୍ (ହି.ସ.) ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଗର୍ବ, ଉତ୍ସାହ ଓ ଆନନ୍ଦମୟ ପରିବେଶରେ ଓଡ଼ିଶା ଦିବସ ପାଳିତ ହୋଇଥିଲା। ଓଡ଼ିଆ ଜାତିର ସ୍ୱାଭିମାନ, ସଂସ୍କୃତି ଓ ଐତିହ୍ୟକୁ ସ୍ମରଣ କରି ଏହି ଅବସରକୁ ଅତ୍ୟନ୍ତ ଗମ୍ଭୀରତା ଓ ଉତ୍ସବମୂଡ଼ରେ ପାଳନ କରାଯାଇଥିଲା।
ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଆଲୋକ କୁମାର ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥିମାନେ ଥିଲେ—ଆଡ଼ମିଷ୍ଟେଟିଭ ଭର୍ଷର ଡ଼. ପ୍ରସନ୍ନ କୁମାର ବରାଳ, ଆକାଉଣ୍ଟ ଭର୍ଷର ଡ଼. ହିମାଂଶୁ ଶେଖର ସାହୁ, ପରୀକ୍ଷା ନିୟନ୍ତ୍ରକ ଡ଼. ରତ୍ନାକର ପରିଡା ଓ ପାଠଚକ୍ର ସଂଯୋଜକ ଶ୍ରୀ ପ୍ରିତମ କୁମାର ମହଲା। କାର୍ଯ୍ୟକ୍ରମର ଆରମ୍ଭରେ ଓଡ଼ିଶା ମାଟିର ମହାନ ବ୍ୟକ୍ତିତ୍ୱମାନଙ୍କୁ ସ୍ମରଣ କରି ଦୀପ ପ୍ରଜ୍ୱଳନ ଓ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା।
“ଆମ ଉତ୍କଳ, ଆମ ପରିଚୟ” ଶୀର୍ଷକକୁ କେନ୍ଦ୍ର କରି ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ବକ୍ତାମାନେ ଓଡ଼ିଶାର ସମୃଦ୍ଧ ଐତିହ୍ୟ, ସଂସ୍କୃତି, ଭାଷା ଓ ପାରମ୍ପରିକ ମୂଲ୍ୟବୋଧ ବିଷୟରେ ବିସ୍ତୃତ ମତ ପ୍ରକାଶ କରିଥିଲେ। ଅଧ୍ୟକ୍ଷ ଡ଼. ଆଲୋକ କୁମାର ପାତ୍ର ତାଙ୍କ ଅଧ୍ୟକ୍ଷୀୟ ଭାଷଣରେ କହିଥିଲେ ଯେ, ଓଡ଼ିଆ ଭାଷା ଓ ସଂସ୍କୃତି ଆମ ପରିଚୟର ମୂଳ ଭିତ୍ତି, ଏହାକୁ ରକ୍ଷା କରିବା ଓ ପ୍ରଚାର କରିବା ପ୍ରତ୍ୟେକ ଓଡ଼ିଆଙ୍କ ଦାୟିତ୍ୱ।
ଆଡ଼ମିଷ୍ଟେଟିଭ ଭର୍ଷର ଡ଼. ପ୍ରସନ୍ନ କୁମାର ବରାଳ ଓଡ଼ିଶାର ଐତିହାସିକ ପୃଷ୍ଠଭୂମି ଓ ଉତ୍କଳ ଗଠନର ଗୌରବମୟ ଅଧ୍ୟାୟକୁ ଉଲ୍ଲେଖ କରିଥିଲେ। ଡ଼. ହିମାଂଶୁ ଶେଖର ସାହୁ ଆଧୁନିକ ଯୁଗରେ ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରସାର ପ୍ରସଙ୍ଗରେ ଆଲୋଚନା କରିଥିଲେ। ଡ଼. ରତ୍ନାକର ପରିଡା ଯୁବ ପିଢ଼ୀଙ୍କ ଭୂମିକା ଉପରେ ଆଲୋକ ପାତ କରି କହିଥିଲେ ଯେ, ସଂସ୍କୃତିକ ମୂଲ୍ୟବୋଧ ଅନୁସରଣ କଲେ ହିଁ ସମାଜର ସଠିକ ଉନ୍ନତି ସମ୍ଭବ। ଶ୍ରୀ ପ୍ରିତମ କୁମାର ମହଲା ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ଅବିଚ୍ଛିନ୍ନ ପରମ୍ପରାକୁ ଉଦ୍ବୋଧନ କରିଥିଲେ।
କାର୍ଯ୍ୟକ୍ରମଟିକୁ ଓଡ଼ିଆ ବିଭାଗର ସୌଦାଗର ସିଅ ପରିଚାଳନା କରିଥିଲେ, । ତାଙ୍କର ସମନ୍ୱୟ ଓ ଉପସ୍ଥାପନା କାର୍ଯ୍ୟକ୍ରମକୁ ଅଧିକ ଜୀବନ୍ତ କରିଥିଲା।
ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସକ୍ରିୟ ଭାବରେ ଯୋଗଦାନ କରିଥିଲେ। ସମସ୍ତଙ୍କ ମୁହଁରେ ଓଡ଼ିଆ ପରିଚୟ ପ୍ରତି ଗର୍ବ ଓ ଆତ୍ମସମ୍ମାନର ଚିହ୍ନ ପ୍ରକାଶ ପାଉଥିଲା।ଶେଷରେ ଏହି କାର୍ଯ୍ୟକ୍ରମ ଓଡ଼ିଆ ଭାଷା, ସଂସ୍କୃତି ଓ ଜାତୀୟ ଏକତା ପ୍ରତି ସମସ୍ତଙ୍କ ମନରେ ନୂତନ ଉତ୍ସାହ ଓ ସଚେତନତା ସୃଷ୍ଟି କରିଥିଲା ବୋଲି ମତ ପ୍ରକାଶ ପାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ